-
ମହିଳା ସଂରକ୍ଷଣ ବିଲ୍ ସହିତ ଡିଲିମିଟେସନ ବିଲକୁ ଆଣିବା ଏକ ପ୍ରହସନ ଥିଲା
-
ମହିଳାଙ୍କୁ ସମ୍ବିଧାନିକ ପଦବୀରେ ସଂରକ୍ଷଣ ପ୍ରଦାନରେ କ୍ଷେତ୍ରରେ ବିଜେଡି ସର୍ବାଗ୍ରେ
-
ଡିଲିମିଟେସନରେ ଓଡ଼ିଶାର କ୍ଷତି ହେଉଥିବା ବେଳେ ରାଜ୍ୟ ସରକାର ଓ ବିଜେପି ଏମ୍ପିଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି
ଭୁବନେଶ୍ୱର, ୧୯/୦୪/୨୦୨୬: ସଂସଦ ଓ ବିଧାନସଭା କ୍ଷେତ୍ରରେ ମହିଳା ସଂରକ୍ଷଣ ବିଲକୁ ନେଇ ବିରୋଧୀ ଦଳମାନେ ଏହାକୁ ସମର୍ଥନ ନଦେବାରୁ ଏହା କାଟ୍ ଖାଇଗଲା ବୋଲି ବିଜେପି ତରଫରୁ ଯାହା ପ୍ରଚାର କରାଯାଉଛି, ତାକୁ ଦୃଢ଼ ଖଣ୍ଡନ କରିଛି ବିଜୁ ଜନତା ଦଳ । ଯେଉଁଭଳି ଭାବେ, ଡିମିଲଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଣିଲା, ତାହା କୌଣସି ନୌଟଙ୍କି ବା ପ୍ରହସନରୁ କମ ନଥିଲା ବୋଲି ବିଜେଡି କହିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ପିଏସି ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠି ମହିଳା ସଂରକ୍ଷଣ ଭଳି ଏକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଚଞ୍ଚକତା କରି ମହିଳା ମାନଙ୍କ ସହିତ ପ୍ରତାରଣା କରୁଛନ୍ତି ବୋଲି କହି କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ଉପରେ ବର୍ଷିଥିଲେ ।
ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ସେପ୍ଟେମ୍ୱର ୨୦୨୩ ମସିହାରେ, ସମସ୍ତ ରାଜନୈତିକ ଦଳ ମାନଙ୍କ ସମର୍ଥନରେ ବିଲ ପାସ ହୋଇଥିଲା । ଏହାକୁ ତୁରନ୍ତ ଲାଗୁ ନକରି ନୂତନ ଜନଗଣନା ମାଧ୍ୟମରେ ଡିମିଲଟେସନ ପରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ, ଅପ୍ରତ୍ୟାଶିତ ଭାବେ ହଠାତ କେନ୍ଦ୍ର ସରକାର ଡିଲିମିଟେସନ ବିଲ ସହିତ ମହିଳା ସଂରକ୍ଷଣ ବିଲକୁ ଯୋଡି ସଂସଦର ବିଶେଷ ଅଧିବେଶନରେ ଉପସ୍ଥାପନା କଲେ । ମହିଳା ସଂରକ୍ଷଣ ବିଲ ନେଇ କୌଣସି ରାଜନୈତିକ ଦଳର ସଂଶୟ ନଥିଲା, କିନ୍ତୁ ପ୍ରସ୍ତାବିତ ଡିମିଲଟେସନ ବିଲକୁ ନେଇ ଅନେକ ଅସହମତି ରହିଥିଲା । ବିଶେଷକରି, ଡିଲିମିଟେସନ ମାଧ୍ୟମରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ ୩.୫ ପ୍ରତିଶତ ହ୍ରାସ ପାଉଥିବା ଆଶଙ୍କା ଉପୁଜିଥିବାରୁ, ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓ ରାଜ୍ୟର ସମସ୍ତ ଏମପିଙ୍କୁ ଚିଠି ଲେଖିଥିଲେ । ଓଡିଶା ପ୍ରତି ହେବାକୁ ଯାଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ । କିନ୍ତୁ, ବିଜେପି ସାଂସଦ ମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ ଦୂରର କଥା ସେମାନେ ଏହି ବିଲ ସପକ୍ଷରେ ଭୋଟ ଦେଲେ । ବିଲ କାଟ ଖାଇବା ପରେ, ମହିଳା ସଂରକ୍ଷଣ ବିଲକୁ ବିଜେଡି ବିରୋଧ କରିଲା ବୋଲି ଅଭିଯୋଗ କରାଯାଉଛି, ଯାହା ସମ୍ପୂର୍ଣ୍ଣ ଅମୂଳକ । ମହିଳା ସଂରକ୍ଷଣ ବିଲକୁ ବିଜେଡି ପ୍ରଥମ ଦିନରୁ ସମର୍ଥନ ଦେଇ ଆସୁଛି । କିନ୍ତୁ, ଡିଲିମିଟେସନ ମାଧ୍ୟମରେ ଓଡିଶାର ପ୍ରତିନିଧିତ୍ୱ ହ୍ରାସ ପାଉଥିବାରୁ ବିଜେଡି ଏହାକୁ ବିରୋଧ କରୁଛି । ଏହା ହେଲେ, ଓଡ଼ିଶାର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସ୍ତରରେ କ୍ଷତି ହେବ । ମହିଳା ସଂରକ୍ଷଣ ବିଲ ବାବଦରେ ବିଜେଡି ଉପରେ ବିଜେପି ଯେଉଁ ଦୋଷ ଲଦୁଛି, ତାହା ସମ୍ପୂର୍ଣ୍ଣ ଅମୂଳକ ।
ଶ୍ରୀମତୀ ଟୁକୁନି ସାହୁ କହିଥିଲେ, ମହିଳା ସଂରକ୍ଷଣ ପ୍ରଦାନ ବା ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସବୁ ସମୟରେ ଆଗରେ ରହି ଆସିଛି । ମହିଳା ମାନଙ୍କୁ ସାମ୍ୱିଧାନିକ ପଦବୀରେ ଅବସ୍ଥାପିତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ଅର୍ବାନ ଲୋକାଲ ବଡ଼ିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ତାଙ୍କ ସୁପୁତ୍ର ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶାସନ ସମୟରେ ଏହି ସଂରକ୍ଷଣ ସଂଖ୍ୟାକୁ ୫୦ପ୍ରତିଶତକୁ ବଢ଼ାଇଥିଲେ । ଏହାଛଡା, ସଂସଦ ଓ ବିଧାନସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ ୨୦୧୮ ମସିହାରେ ବିଜେଡି ସରକାରଙ୍କ ଦ୍ୱାରା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଯାଇଥିଲା । ଏଥି ସହିତ, ଦେଶର ପ୍ରାୟ ୨୨ଟି ରାଜନୈତିକ ଦଳଙ୍କୁ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାପାଇଁ ପ୍ରବର୍ତ୍ତେଇ ଥିଲେ । ୨୦୨୩ ମସିହା ସେପ୍ଟେମ୍ୱର ମାସରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । କିନ୍ତୁ ୨୦୧୯ ଓ ୨୦୨୪ ନିର୍ବାଚନରେ, ଓଡ଼ିଶାର ସଂସଦ କ୍ଷେତ୍ର ଗୁଡିକରେ ବିଜେଡି ୩୩ ପ୍ରତିଶତ ସ୍ଥାନରେ ମହିଳା ମାନଙ୍କୁ ପ୍ରାର୍ଥୀ କରିଥିଲା । ଏହା ବିଜେଡିର ମହିଳା ସଂରକ୍ଷଣ ବା ମହିଳା ସଶକ୍ତିକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଏହାଛଡା, ମହିଳା ମାନଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ୱି କରିବା କ୍ଷେତ୍ରରେ ନବୀନ ସରକାରଙ୍କର ଯୋଜନା ମିସନ ଶକ୍ତି ମାଧ୍ୟମରେ ରାଜ୍ୟର ୮୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଥିଲା । ଆଜି ବିଜେପି ସରକାର କ୍ଷମତାକୁ ଆସିବାର ଦୁଇ ବର୍ଷ ପରେ ମିଶନ ଶକ୍ତି ଦ୍ୱାରା ସଶକ୍ତ ହୋଇଥିବା ମହିଳା ମାନେ ଘର କୋଣରେ ସୀମିତ ହୋଇ ଯାଇଥିବା ଦେଖିବାକୁ ମିଳୁଛି । ତେଣୁ, ମହିଳା ସରଂକ୍ଷଣ ବିଲକୁ ବିଜେଡି ବିରୋଧ କରୁଛି ବୋଲି ବିଜେପିର ଦାବିକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ ।








