ହେଡଲାଇନସ୍:

ଓଡ଼ଗାଁରୁ ଶୁଭାରମ୍ଭ ହେଲା ପୋଷାକ ବିତରଣ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ବିଳମ୍ବ ନେଇ ଦାବି


ଓଡ଼ଗାଁ, ୧୮।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପୋଷାକ ବିତରଣ ଉତ୍ସବର ଶନିବାର ଶୁଭାରମ୍ଭ ହୋଇଛି। ଓଡ଼ଗାଁ ବ୍ଲକରେ ପ୍ରଥମ ସ୍କୁଲ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯାହାକି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆନନ୍ଦ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ମୁଖ୍ୟ ବକ୍ତା, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଇଥିବା ବେଳେ ସୂଚନାନୁସାରେ, ଆସନ୍ତା ୨୭ ଏପ୍ରିଲ ମଧ୍ୟରେ ବ୍ଲକର ସମସ୍ତ ବିଦ୍ୟାଳୟରେ ପୋଷାକ ବଣ୍ଟନ ସମ୍ପୂର୍ଣ୍ଣ କରାଯିବ। ଅତିଥିମାନେ ଅଭିଭାବକଙ୍କୁ ପିଲାମାନଙ୍କୁ ପରିଷ୍କାର ରଖି ନିୟମିତ ବିଦ୍ୟାଳୟକୁ ପଠାଇବା, ପଢ଼ା ଓ ଖେଳକୁ ସମନ୍ୱୟ କରିବା, ମୋବାଇଲ ବ୍ୟବହାର କମ କରିବା ସହ ଶିକ୍ଷକଙ୍କୁ ପ୍ରଶ୍ନ କରି ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଗରମ ଓ ଅସହ୍ୟ ପରିସ୍ଥିତିରେ ପାଠପଢ଼ା ପ୍ରଭାବିତ ହେଉଥିବା କଥା ପ୍ରଧାନ ଶିକ୍ଷକ କହିଥିଲେ। ଦୁଇ ମାସ ପୂର୍ବରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଦାବି ଉଠାଯାଇ ଧନରାଶି ଜମା ହୋଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
ନିର୍ବାହୀ ଅଧିକାରୀ ଶୀଘ୍ର ବିଦ୍ୟାଳୟରେ ଉତ୍ତମ ଶିକ୍ଷା ପରିବେଶ ଗଢ଼ି ତୋଳିବା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଶେଷରେ ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ବିତରଣ କରାଯାଇଥିଲା। ଏବଂ ଶିକ୍ଷୟିତ୍ରୀ ରୀତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

0
0
0
s2sdefault