
ଓଡ଼ଗାଁ, ୧୮।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ କୋମଣ୍ଡ ରାଜସ୍ବ ଅଞ୍ଚଳରୁ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ଏକ ମିନି ଟ୍ରକକୁ କୁରାଳ ରୋଡରେ ଓଡ଼ଗାଁ ପୋଲିସ ଜବତ କରିଛି। ଓଡ଼ଗାଁ ଆଦର୍ଶ ଥାନା ପୋଲିସ କେତେକ ଚୋରାଚାଲାଣ ହେଉଥିବା ଗାଡ଼ିକୁ ଜବତ କରିଥିଲା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏନେଇ ନିରବଦ୍ରଷ୍ଟା ସାଜିଥିବା ଅନୁମେୟ ହେଉଛି । ବିଶେଷ ସୂତ୍ରରୁ ସୂଚନା ପାଇ ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ଗୁରୁବାର ରାତି ପ୍ରାୟ ୯ଟା ସମୟରେ କୋମଣ୍ଡ–କୁରାଳ ରାସ୍ତାରେ ଚଡ଼ାଉ କରିଥିଲେ। ସେଠାରେ ଓଡି-୦୨-ଟି-୬୬୫୪ ନମ୍ବର ବିଶିଷ୍ଟ ଏକ ୪୦୭ ମିନି ଟ୍ରକକୁ ପିଛା କରି ଅଟକାଇବା ସହ ସେଥିରେ ମାଙ୍କଡ଼ା ପଥର ଥିବା ଜଣାପଡିବା ପରେ ଜବତ କରାଯାଇଥିଲା। ପୋଲିସ ଟ୍ରକକୁ ଓଡ଼ଗାଁ ଥାନାକୁ ଆଣିବା ସହ ଚାଳକକୁ ଗିରଫ କରିଥିଲେ। ଏବଂ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ମାମଲା ରୁଜୁ କରି ଆବଶ୍ୟକ ପ୍ରକ୍ରିୟା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ରତିରାତି କୋମଣ୍ଡ ଅଞ୍ଚଳରୁ ବହୁ ପରିମାଣରେ ମାଙ୍କଡ଼ା ପଥର ବେଆଇନ ଭାବେ ଚୋରା ଚାଲାଣ ହେଉଛି। ଏହି ଯାନଗୁଡ଼ିକ ମୁଖ୍ୟ ରାସ୍ତା ଛାଡ଼ି ଗ୍ରାମୀଣ ସଙ୍କୀର୍ଣ୍ଣ ରାସ୍ତା ଦେଇ ଦୃତ ଗତିରେ ଯାତାୟାତ କରୁଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ଏହା ସର୍ବଦା ବିପଦ ସୃଷ୍ଟି କରୁଛି। ଏହା ସହିତ, ପଥର ମାଫିଆଙ୍କ ଉପରେ ରାଜନୈତିକ ଆଶିର୍ବାଦ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ତେବେ ଖଣି ବିଭାଗର ଏନେଇ ନିରବତା ସମସ୍ତଙ୍କୁ ସନ୍ଦିହାନ କରିଦେଇଛି ।
ରାଜ୍ୟ
ଚୋରା ଚାଲାଣ ମାଙ୍କଡ଼ା ପଥର ବୋଝେଇ ମିନି ଟ୍ରକ ଜବତ: ବିଭାଗୀୟ କର୍ମକର୍ତ୍ତା ନିରବଦ୍ରଷ୍ଟା
- Hits: 57








