ହେଡଲାଇନସ୍:

ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକରେ ସୁଦୃଢ ସଂଗଠନ ଗଢିବା ସହିତ ବ୍ୟାପକ ଜନଆନ୍ଦୋଳନ ସଂଗଠିତ ହେବ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହାନଦୀ ଜଳ ବିବାଦର ସମାଧାନ ପାଇଁ ମାନସ ମନ୍ଥନ ଅନୁଷ୍ଠିତ l

  • ଯୋଗ ଦେଲେ ଅନେକ ବୁଦ୍ଧିଜୀବୀ ଓ ବିଶେଷଜ୍ଞ l
  • ଅଭିଜ୍ଞ ବ୍ୟକ୍ତିଙ୍କୁ ନେଇ ବିଶେଷଜ୍ଞ କମିଟି ଗଠିତ ହେଲା l
  • ମହାନଦୀ ଟ୍ରିବୁନାଲ ଓ ଜଳ ବିବାଦ କୁ ନେଇ ଜାରି ହେବ ଶ୍ୱେତ ପତ୍ର l

ଭୁବନେଶ୍ୱର ତା 13 l 04 l ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ "ମହାନଦୀ ଟ୍ରିବୁନାଲ ଓ ମହାନଦୀର ଭାଗ୍ୟ " ଶୀର୍ଷକ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇ ଯାଇଛି l ଜଳ ବିବାଦର ସମାଧାନ ଓ ଓଡିଶାକୁ ନ୍ୟାୟ ଦେବା କ୍ଷେତ୍ରରେ ଟ୍ରିବୁନାଲର ବିଫଳତା ତଥା ଏ କ୍ଷେତ୍ରରେ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ସଭାରେ ତୀବ୍ର ଉଦବେଗ ପ୍ରକାଶ କରାଯାଇଥିଲା l ମହାନଦୀର ସୁରକ୍ଷା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ତମାମ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଷ୍ପତି ନିଆ ଯାଇଛି l
Imageମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମାନସ ମନ୍ଥନ ସଭାରେ ଓଡିଶା ଜଳ ସମ୍ପଦ ବିଭାଗର ତିନିଜଣ ପୂର୍ବତନ ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବହୁ ବୁଦ୍ଧିଜୀବୀ, ବିଶେଷଜ୍ଞ, ସମାଜ କର୍ମୀ, ବରିଷ୍ଠ ସାମ୍ବାଦିକ ପ୍ରମୁଖ ଯୋଗ ଦେଇ ଅନେକ ଗୁରୁତ୍ୱପୂର୍ଣ ନିଷ୍ପତି ନେଇଥିଲେ l
ବିଗତ ଆଠ ବର୍ଷର ଟ୍ରିବୁନାଲର କାର୍ଯ୍ୟକ୍ରମ ଓ ଜଳ ବିବାଦ ସଂକ୍ରାନ୍ତୀୟ ଘଟଣାକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରିବାର ନିଷ୍ପତି ହୋଇଛି l ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଇଂ ଆଶୁତୋଷ ଦାସଙ୍କ ଆବାହକତ୍ୱ ରେ ଏକ ସାତ ଜଣିଆ ବୈଷୟିକ କମିଟି ଏହି ଶ୍ୱେତପତ୍ର ପ୍ରକାଶ କରିବ l ଏହି କମିଟିରେ ଜଳ ସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ ଇଂ ହରିଶ ଚନ୍ଦ୍ର ବେହେରା ଓ ଇଂ ରମେଶ ଚନ୍ଦ୍ର ତ୍ରିପାଠୀ, ଇଂ ପ୍ରଦୀପ ପ୍ରଧାନ, ଉତ୍କଳ ବିଶ୍ୱବିଦ୍ୟାଳର ପୂର୍ବତନ କୁଳପତି ପ୍ରଫେସର ବିନାୟକ ରଥ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭୁତତ୍ତ୍ୱ ବିଭାଗର ପୂର୍ବତନ ପ୍ରଫେସର ଡ଼ ସୂର୍ଯ୍ୟ ନାୟକ, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ ଡ଼ ଶୁଭ୍ରାଂଶୁ ରାୟ, ଓଡିଶା କୃଷି ବୁଶ୍ୱବିଦ୍ୟାଳର ପୂର୍ବତନ ପ୍ରଫେସର ଡ଼ ବିଜୟ ସାହୁ, ଟାଇମ୍ସ ଅଫ ଇଣ୍ଡିଆର ପୂର୍ବତନ ଏଡିଟର ଶ୍ରୀ ନଳିନୀ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ସନ୍ଦୀପ ମିଶ୍ର ସଭ୍ୟ ରହିଛନ୍ତି l ଏହି କମିଟି ମହାନଦୀ ଟ୍ରିବୁନାଲର ବିଗତ ଆଠ ବର୍ଷର କାର୍ଯ୍ୟାଧାରା ତଥା ଜଳ ବିବାଦର ସାନଧାନ କ୍ଷେତ୍ରରେ ସରକାରଙ୍କ କାର୍ଯ୍ୟାଧାରାକୁ ବିଜ୍ଞାନ ସମ୍ମତ ଓ ଗବେଷଣା ଭିତ୍ତିକ ଢଙ୍ଗରେ ଅଧ୍ୟୟନ କରି ଏକ ଶ୍ୱେତ ପତ୍ର ବା ସ୍ଟାଟସ ରିପୋର୍ଟ ପ୍ରସ୍ତୁତ କରିବ l ଏହି ରିପୋର୍ଟରେ ସାମ୍ପ୍ରତିକ ପରିସ୍ଥିତିରେ ଜଳ ବିବାଦର ସମାଧାନ କ୍ଷେତ୍ରରେ କଣ ପଦକ୍ଷେପ ନିଆଯିବ ତାହା ମଧ୍ୟ ଉଲ୍ଲେଖ କରାଯିବ l ବିଚାର ବ୍ୟବସ୍ଥା ମାଧ୍ୟମରେ ତଥା ବିକଳ୍ପ ବିବାଦ ସମାଧାନ କ୍ଷେତ୍ରରେ କଣ ପଦକ୍ଷେପ ନିଆ ଯାଇପାରିବ ତାହା ମଧ୍ୟ ଏଥିରେ ସୁପାରିଶ କରାଯିବ l ଆସନ୍ତା ମାସେ ଭିତରେ ଏହି ରିପୋର୍ଟ ପ୍ରସ୍ତୁତ ହେବ ଯାହାକୁ ଉଭୟ ଓଡିଶା ଓ ଛତିଶଗଡ଼ ତଥା କେନ୍ଦ୍ର ସରକଙ୍କୁ ପ୍ରଦାନ କରାଯିବ l
Imageଅନୁରୂପ ଭାବରେ ଓଡ଼ିଶାର ଅଭିଜ୍ଞ ଓ ପ୍ରତିଷ୍ଠିତ ଓକିଲ ମାନଙ୍କୁ ନେଇ ଏକ ଲିଗାଲ କମିଟି ଗଠନ କରିବା ପାଇଁ ମଧ୍ୟ ଆଜି ବୈଠକରେ ନିଷ୍ପତି ହୋଇଛି l ଏହି କମିଟି ଜଳ ବିବାଦ ସମାଧାନର ଆଇନ ଓ ବିଚାରଗତ ଦିଗକୁ ଅନୁଧ୍ୟାନ କରିବ l ମହାନଦୀ ଅବବାହିକାରେ ଥିବା ତଥା ମହାନଦୀ ଉପରେ ନିର୍ଭରଶୀଳ ଜିଲ୍ଲା ଗୁଡିକରେ ମହାନଦୀ ବଞ୍ଚାଓ ଆନ୍ଦୋଳନର ସାଙ୍ଗଠନିକ ଭିତ୍ତିଭୂମି ସୃଷ୍ଟି କରି ପ୍ରତି ଜିଲ୍ଲାରେ କମିଟି ଗଠିତ ହେବା ସହିତ ରାଜ୍ୟ ସ୍ତରରେ ଆନ୍ଦୋଳନ କୁ ପରିଚାଳନା ପାଇଁ ଏକ ଦକ୍ଷ କମିଟି ମଧ୍ୟ ଗଢ଼ା ଯିବାର ନିଷ୍ପତି ହୋଇଛି l
ଆଠ ଵର୍ଷ ଭିତରେ ଟ୍ରିବୁନାଲ ଚୂଡାନ୍ତ ରାୟ ଦେବା ତ ଦୂରର କଥା ଏକ ଆନ୍ତରୀଣ ରାୟ ଦେବାରେ ଅକ୍ଷମ ହୋଇଛି l ଏହାର ତୀବ୍ର ପ୍ରତିବାଦ କରାଯିବା ସହିତ ତୁରନ୍ତ ଆନ୍ତରୀଣ ରାୟ ମାଧ୍ୟମରେ ଓଡିଶାକୁ ଅଣ ମୌସୁମୀ ସମୟରେ 1.74 ମିଲିୟନ ଏକର ଫୁଟ ପାଣି ଛାଡିବାକୁ ଛାତିଶଗଡକୁ ନିର୍ଦେଶ ଦେବାକୁ ଟ୍ରିବୁନାଲ ପାଖରେ ଦାବି କରାଯାଇଛି l
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ଘୋଷଣାକୁ ଏକ ବିଭ୍ରାନ୍ତିକର ପଦକ୍ଷେପ ବୋଲି ଅବିହିତ କରି ସରକାର ଏ ସଂକ୍ରାନ୍ତରେ କ୍ୟାବିନେଟ ନିଷ୍ପତି କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ l
Imageଆଜିର ଏହି ଆଲୋଚନା ସଭାରେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, କିଷାନ କଂଗ୍ରେସ ର ରାଜ୍ୟ ସଭାପତି ଅଭୟ କୁମାର ସାହୁ, ଫରୱାର୍ଡ଼ ବ୍ଲକ ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର, ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ପ୍ରହଲ୍ଲାଦ ସିଂହ, ସିପିଆଇଏମ ଏଲ ଲିବାରେସନ ନେତା ଅଶୋକ ପ୍ରଧାନ, ଶିଳ୍ପପତି ଶିବ ନାରାୟଣ ମିଶ୍ର, ଓଡିଶା ସରକାରୀ କର୍ମଚାରୀ ନେତା ପ୍ରଭାତ ମହାନ୍ତିଙ୍କ ସମେତ ଶ୍ରୀ ହରିବନ୍ଧୁ ଶତପଥୀ, ବିଜୟ ପ୍ରଧାନ, ପ୍ରଭାସିନୀ ରାଉତ, ଦିଲୀପ ବିଶୋଇ, ପ୍ରୀତିନନ୍ଦl ରାଉତ, ଗିରିଜା ଦାସ, ନାରାୟଣ ମହାରଣା, ବିହାରୀ ବନ୍ଧୁ ପଲେଇ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ l ଆନ୍ଦୋଳନ ର ସହ ଆବାହକ ଶ୍ରୀ ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରସନ୍ନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault