ହେଡଲାଇନସ୍:

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଦ୍ୟାଳୟର ୭୫ ବର୍ଷର ସଫଳ ଯାତ୍ରାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

  • ପିଏମ ଶ୍ରୀ ଯୋଜନାରେ ଆଧୁନିକ ସୁବିଧା ସହ ମଡେଲ୍ ସ୍କୁଲ ଭାବେ ଗଢ଼ି ଉଠିବ ବିଦ୍ୟାଳୟ

  • ଯାତାୟାତର ସୁବିଧା ପାଇଁ ୬ କୋଟି ୩୪ ଲକ୍ଷ ଟଙ୍କା ବିନିଯୋଗରେ ସରେଇ-ହାତିଶିଳା ରାସ୍ତା କାମ ଆଗେଇ ଚାଲିଛି

  • ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ସମୟ ପରିଚାଳନା ଓ ସୃଜନଶୀଳତାରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

  • ଏକ ଭଲ ସ୍କୁଲ କେବଳ ଚାକିରି ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରେ ନାହିଁ; ଏହା ସେମାନଙ୍କୁ ଜୀବନ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ କରେ- ମୁଖ୍ୟମନ୍ତ୍ରୀ

  • ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

    ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ ହେବ ନୂତନ ଅଡିଟୋରିଅମ

    ବାବା କୁଶଳେଶ୍ୱର ମହାଦେବ ପୀଠର ବିକାଶ ନିମିନ୍ତ ୩ କୋଟି ୭ ଲକ୍ଷ ଟଙ୍କା ବିନିଯୋଗ କରାଯିବ

ଭୁବନେଶ୍ବର, ୧୨ ଅପ୍ରେଲ ୨୦୨୬: ବିଦ୍ୟାଳୟ କେବଳ ପାଠପଢାର ସ୍ଥାନ ନୁହେଁ, ଏହା ଜୀବନ ଗଢ଼ିବାର ଏକ ପବିତ୍ର କ୍ଷେତ୍ର। ଏଠାରେ ଜ୍ଞାନ ସହିତ ଜୀବନର ମୂଲ୍ୟବୋଧ ଓ ଶୃଙ୍ଖଳା ଶିକ୍ଷା ଦାନ କରାଯାଏ, ପିଲାଙ୍କ ଚରିତ୍ର ଗଠନର ପ୍ରଥମ ସୋପାନ ବିଦ୍ୟାଳୟରୁ ହିଁ ଆରମ୍ଭ ହୋଇଥାଏ ବୋଲି ଆଜି କେନ୍ଦୁଝର ଜିଲ୍ଲା ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଅବସରରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ।

ଏହି ଅବସରରେ ସେ କହିଥିଲେ ଯେ ୧୯୫୦ ମସିହାରେ ସାଧାରଣ ପରିସ୍ଥିତିରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ଆଜି ଏକ ପ୍ରତିଷ୍ଠିତ ଶିକ୍ଷା ପୀଠରେ ପରିଣତ ହୋଇଛି ଏବଂ ଏହାର ଉନ୍ନତି ପଛରେ ଅନେକ ଶିକ୍ଷାପ୍ରେମୀ ବ୍ୟକ୍ତି, ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କ ତ୍ୟାଗ ଓ ସମର୍ପଣ ରହିଛି।

Imageଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ପ୍ରେରିତ ଏହି ବିଦ୍ୟାଳୟର ଶିକ୍ଷା ପ୍ରଣାଳୀକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏଠାରେ କେବଳ ପାଠ୍ୟଜ୍ଞାନ ନୁହେଁ, ବରଂ ନୈତିକତା, ଶୃଙ୍ଖଳା ଓ ମୂଲ୍ୟବୋଧର ଶିକ୍ଷା ମଧ୍ୟ ଦିଆଯାଉଛି। ଏହି ବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିବା ଅନେକ ଛାତ୍ରଛାତ୍ରୀ ରାଜ୍ୟ ଓ ଦେଶ ସ୍ତରରେ ନିଜ ପ୍ରତିଭା ପ୍ରମାଣ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି ବୋଲି ସେ କହିଥିଲେ।

ସେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ କରି କହିଥିଲେ ଯେ ଶିକ୍ଷା କେବଳ ଚାକିରି ପାଇଁ ନୁହେଁ, ବରଂ ଜୀବନ ଗଢ଼ିବାର ଏକ ମାଧ୍ୟମ। ଆଜିର ପ୍ରତିସ୍ପର୍ଦ୍ଧୀମୂଳକ ଯୁଗରେ ପାଠ୍ୟଜ୍ଞାନ ସହିତ ଦକ୍ଷତା, ସୃଜନଶୀଳତା ଓ ନୂତନ ଚିନ୍ତାଧାରା ଅତ୍ୟାବଶ୍ୟକ। ସମୟର ମୂଲ୍ୟ ବୁଝି ଶୃଙ୍ଖଳିତ ଜୀବନ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଅନାବଶ୍ୟକ କାର୍ଯ୍ୟରୁ ଦୂରରେ ରହି ଲକ୍ଷ୍ୟମୁଖୀ ହେବାକୁ ଆହ୍ୱାନ କରିଥିଲେ। ବିଦ୍ୟାଳୟ ର ଏକ ନୂତନ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିଦ୍ୟାଳୟ ପିଏମ ଶ୍ରୀ ଯୋଜନାରେ ସାମିଲ ହୋଇଥିବାରୁ ଏଠାରେ ଆଧୁନିକ ଭିତ୍ତିଭୂମି, ଡିଜିଟାଲ୍ ଶିକ୍ଷା, ସ୍ମାର୍ଟ କ୍ଲାସ୍‌ରୁମ୍ ଓ ନବସୃଜନମୂଳକ ପାଠ୍ୟ ପ୍ରଣାଳୀର ଉନ୍ନତି ହେବ। ଓଡ଼ିଶାର ପ୍ରାୟ ୮୦୦ଟି ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇଛି, ଏହି ସ୍କୁଲଗୁଡ଼ିକୁ ଦେଶର ମଡେଲ୍ ଶିକ୍ଷା ପ୍ରତିଷ୍ଠାନ ଭାବେ ବିକଶିତ କରାଯିବ।

ସେ ଆହୁରି କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି। ୨୦୨୬-୨୭ ବର୍ଷର ବଜେଟ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟି ଟଙ୍କାରୁ ଅଧିକ ପ୍ରାବଧାନ କରାଯାଇଛି। ଗତ ଦେଢ ବର୍ଷରେ ପ୍ରାୟ ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ସହ ଆଗାମୀଦିନରେ ଆହୁରି ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି। ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଉଛି ।

Imageଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମି ଉନ୍ନୟନ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ ୬ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ସରେଇ-ହାତିଶିଳା ରାସ୍ତା ନିର୍ମାଣ କାମ ଚାଲିଛି ଏବଂ ବାବା କୁଶଳେଶ୍ୱର ମନ୍ଦିର ଅଞ୍ଚଳର ବିକାଶ ପାଇଁ ୩ କୋଟି ୭ ଲକ୍ଷ ଟଙ୍କା ବିନିଯୋଗ କରାଯିବ।

ଏହି କାର୍ଯ୍ୟକ୍ରମରେ ଘସିପୁରା ବିଧାୟକ ଶ୍ରୀ ବଦ୍ରି ନାରାୟଣ ପାତ୍ର, ତେଲକୋଇ ବିଧାୟକ ଡା ଫକିର ମୋହନ ନାୟକ, କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ,ଆୟୋଜକ କମିଟି ସଭାପତି ହାଡିବନ୍ଧୁ ପଟ୍ଟନାୟକ , ସମ୍ପାଦକ ରାମଚନ୍ଦ୍ର ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକମାନେ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

0
0
0
s2sdefault