ମାଲକାନଗିରି ରୁ ସୁରେନ୍ଦ୍ର କୁମାର: ମାଲକାନଗିରି ସହରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତି ମନୋଜ୍ଞ ସ୍ୱାଗତ ସଙ୍ଗୀତ ପରିବେଷଣ କରି ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଓ ସାଂସ୍କୃତିକ ରଙ୍ଗରେ ରଙ୍ଗେଇ ଦେଇଥିଲେ। ଶିକ୍ଷା, ସଂସ୍କାର ଓ ସଂସ୍କୃତିର ଏହି ମହାମିଳନରେ କୁନି କୁନି ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭା ଲୋକାରଣ୍ୟ ମଧ୍ୟରେ ଚମତ୍କାର ଭାବେ ପ୍ରସ୍ଫୁଟିତ ହୋଇଥିଲା। ଏହି ଗୌରବମୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ଯୋଗ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳମଣି ପ୍ରଧାନ ନିଜର ବହୁମୂଲ୍ୟ ଅଭିଭାଷଣ ରଖିଥିଲେ। ଘଡେଇ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁରେଶ ଚନ୍ଦ୍ର ଘଡେଇ ଯୋଗ ଦେଇଥିଲେ।ବିଦ୍ୟାଳୟର ସଭାପତି ରବୀନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ ବାର୍ଷିକ ବିବରଣୀ ପଠନ କରିଥିଲେ। ସମ୍ପାଦକ ରମେଶ ଚନ୍ଦ୍ର ରାଉତ ମଧ୍ୟ ମଞ୍ଚାସୀନ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରାରମ୍ଭିକ ଶ୍ରେଣୀରୁ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିଖୁଣ କଳାନୈପୁଣ୍ୟ ଦେଖି ଉପସ୍ଥିତ ଅତିଥି ବୃନ୍ଦ ଓ ଅଭିଭାବକ ମାନେ ସମ୍ପୂର୍ଣ୍ଣ ବିଭୋର ହୋଇଯାଇଥିଲେ। ସମସ୍ତ ଗୁରୁଜୀ, ଗୁରୁମା ଓ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମାରୋହ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଉଦଯାପିତ ହୋଇଥିଲା।
ରାଜ୍ୟ
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ସମ୍ପନ୍ନ,କୁନି ପ୍ରତିଭାଙ୍କ ନୃତ୍ୟରେ ବିଭୋର ହେଲେ ଅତିଥି ଓ ଅଭିଭାବକ
- Hits: 11








