ଓଡ଼ଗାଁରୁ ୧୧ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର
ଓଡ଼ଗାଁ,୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ାଝୋଲା ସେକ୍ସନ ନିକଟସ୍ଥ ଘଡେ଼ଇ ବନ୍ଧ ଗାଁରୁ ଗୁରୁବାର ଅପରାହ୍ନରେ ଏକ ବିରାଟ ଅହିରାଜ (କିଙ୍ଗ କୋବ୍ରା) ସାପକୁ ବନ ବିଭାଗ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୧୧ ଫୁଟ ୩ ଇଞ୍ଚ ଓ ଓଜନ ପ୍ରାୟ ୭ କିଲୋଗ୍ରାମ ୨୫୦ ଗ୍ରାମ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଅହିରାଜ ସାପଟି ସାଧାରଣତଃ ଅନ୍ୟ ସାପକୁ ଖାଦ୍ୟ ଭାବେ ଗ୍ରହଣ କରେ। ସେହି କାରଣରୁ ସାପ ଖୋଜିବା ଉଦ୍ଦେଶ୍ୟରେ ଏହା ଘଡେ଼ଇ ବନ୍ଧ ଗାଁ ନିକଟରେ ଏକ ଘର ପାଖରେ ଥିବା ପଥର ଗଦା ଭିତରେ ଲୁଚିଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା। ପରେ ସେମାନେ ତୁରନ୍ତ ବନ ବିଭାଗକୁ ଏନେଇ ଖବର ଦେଇଥିଲେ।
ଖବର ପାଇ ଶରଣକୁଳରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଶ୍ରୀକାନ୍ତ ନନ୍ଦ ଓ ସହଯୋଗୀ ଶଶାଙ୍କ ଘଟଣାସ୍ଥଳକୁ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଧରିଥିଲେ। ପରେ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ଓ ବନପାଳ ସରିତା ବରାଳଙ୍କ ଉପସ୍ଥିତିରେ ଅପରାହ୍ନ ୩ଟା ସମୟରେ ସାପଟିକୁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ାଯାଇଥିଲା। ଏହି ଘଟଣା ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ସୁକତା ଦେଖାଦେଇଥିଲେ ମଧ୍ୟ, ବନ ବିଭାଗର ସମୟୋଚିତ ପଦକ୍ଷେପରୁ ଏକ ବଡ଼ ବିପଦ ଟଳିଥିବା ମନେ କରାଯାଉଛି।








