କୋମଣ୍ଡ ଅଞ୍ଚଳରୁ ମାଙ୍କଡ଼ା ପଥର ଚୋରା ଚାଲାଣ ବନ୍ଦ ହେବକେବେ:

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଖଣି ମାଫିଆଙ୍କ ଚକ୍ରବ୍ୟୁହକୁ ଭେଦକରି ପାରୁନି ପ୍ରଶାସନ


ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ରାଜସ୍ୱ ଅଞ୍ଚଳରେ ମାଙ୍କଡ଼ା ପଥର ଖଣିରୁ ପ୍ରତି ରାତିରେ ହଜାର ହଜାର ଖଣ୍ଡ ପଥର ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ମାଫିଆଙ୍କ ଚକ୍ରବିହ୍ବକୁ ଭେଦକରି ପାରୁନି । ଫଳରେ ଜିଲ୍ଲା ଖଣି ବିଭାଗ ଯେପରି ଏକ ପ୍ରକାର ହାର ମାନି ହାତବାନ୍ଧି ବସିଯାଇଛି। ଅନ୍ୟପକ୍ଷରେ କୋମଣ୍ଡ ଅଞ୍ଚଳରୁ ମାଙ୍କଡ଼ା ପଥର ଚୋରା ଚାଲାଣ ବୃଦ୍ଧି ପାଉଥିବାରୁ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଇବାକୁ ପଡୁଛି। ପ୍ରାୟ ୨ଶହ ବର୍ଷରୁ ଅଧିକ ବର୍ଷ ଧରି କୋମଣ୍ଡ ଅଞ୍ଚଳରୁ ମାଙ୍କଡ଼ା ପଥର କରାଯାଉଛି । ଏବଂ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଦୈନିକ ଚାଲାଣ କରାଯାଉଛି । ତେବେ କିଛି ବର୍ଷଧରି ଖଣିଗୁଡ଼ିକର ନିଲାମ ବନ୍ଦ ରହିଥିବା ବେଳେ ପଥର ମାଫିଆ ମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରି ପ୍ରଶାସନିକ ନିୟମକୁ ଚ୍ୟାଲେଞ୍ଜ କରି ପ୍ରତିଦିନ ମାଙ୍କଡ଼ା ଚାଲାଣ କରି ଏକଚାଟିଆ ଭାବେ ଲାଭବାନ ହୋଇ ଚାଲିଛନ୍ତି। ଖଣି ବିଭାଗ ମାଙ୍କଡା ପଥର ଚୋରା ଚାଲାଣକୁ ରୋକିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବାରମ୍ବାର ବିଫଳ ହୋଇଛି । ବିଭାଗୀୟ ଅସଫଳତା ପ୍ରକାରାନ୍ତରେ ଖଣି ବିଭାଗର ଅପାରଗତାକୁ ଦର୍ଶାଉଛି । ଓଡ଼ଗାଁ ପୋଲିସର ଉଦ୍ୟମ ଫଳରେ କେତୋଟି ପଥର ବୋଝେଇ ଗାଡ଼ି ଜବତ ହୋଇଛି । ତେବେ ଜରିମାନା ଆଦାୟ ପରେ ଗାଡ଼ିକୁ ଛାଡ଼ି ଦିଆଯାଉଛି। ପରବର୍ତ୍ତୀ ସମୟରେ ଉକ୍ତ ଗାଡ଼ିରେ ପୁଣି ଥରେ ମାଙ୍କଡ଼ା ପଥର ପରିବହନ ହେଉଛି । ପ୍ରକୃତିର ସନ୍ତୁଳନ ରକ୍ଷା କରିବା ପାଇଁ ଖଣିଗୁଡ଼ିକ ଚିହ୍ନଟ କରି ନିଲାମ କରିବା ଅଥବା ଖଣି ବିଭାଗୀ ଚୋରା ମାଙ୍କଡ଼ା ପଥର କାଟିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାର ଆବଶ୍ୟକତା ରହିଛି। ସୂଚନା ଥାଉକି ଓଡ଼ଗାଁରେ ଶ୍ରୀରାମ ନବମୀ ୧୦ ଦିନ ଯାତ୍ରା ଅର୍ଥାତ୍ ମାର୍ଚ୍ଚ ୨୭ ତାରିଖ ଠାରୁ ବର୍ତ୍ତମାନ ସୁଦ୍ଧା ମାଙ୍କଡ଼ା ପଥର ବହୁ ପରିମାଣରେ ଚୋରା ଚାଲାଣ ହେଉଛି।

0
0
0
s2sdefault