କେନ୍ଦୁଝର,ତା୫/୪-କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ଆମ ଆଦମୀ ପାର୍ଟି ପକ୍ଷରୁ ତେଲକୋଇ ନିର୍ବାଚନ ମଣ୍ଡଳୀ ସଂଯୋଜକ ସନ୍ତୋଷ କୁମାର ବାରିକଙ୍କ ନେତୃତ୍ୱରେ ଏକ ସଂଗଠନମୂଳକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ନୂତନ ସଦସ୍ୟମାନଙ୍କ ଯୋଗଦାନ ସହିତ ସ୍ଥାନୀୟ ସମସ୍ୟାମାନଙ୍କୁ ନେଇ ଗଭୀର ଆଲୋଚନା କରାଯାଇଥିଲା।
ସଭାରେ ବିଶେଷକରି ବାଂଶପାଳ ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ଯୋଗାଣ ବନ୍ଦ ହେବା ଓ ପିଇବା ଜଳ ସଙ୍କଟ ନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା। ବିଶାଳ ଅଞ୍ଚଳରେ ପାଣି ଯୋଗାଣ ବିଚ୍ଛିନ୍ନ ହୋଇଥିବାରୁ ସାଧାରଣ ଲୋକମାନେ ଭୟଙ୍କର ଅସୁବିଧାରେ ପଡୁଥିବା କଥା ସଭାରେ ଉଠିଥିଲା।
ସୁମିତ୍ରା ପ୍ରଧାନ, ପଞ୍ଚାନନ ଖମାଣିଆ , ଝୁନୁ ଦେହୁରୀ, ଚତୁର୍ଭୁଜ ପ୍ରଧାନ, ରବିକାନ୍ତ ପ୍ରଧାନ, ନବୀନ କୁମାର ପ୍ରଧାନ ଓ ପ୍ରକାଶ ନାୟକ ପ୍ରମୁଖ ଏହି ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିବା ବିଷୟ ମଧ୍ୟ ସଭାରେ ଉଲ୍ଲେଖ କରିଥିଲେ । ସେମାନେ କହିଥିଲେ ଯେ ଦୀର୍ଘଦିନ ଧରି ଏହି ସମସ୍ୟା ଚାଲିଆସୁଛି, କିନ୍ତୁ ପ୍ରଶାସନ ପକ୍ଷରୁ ଯଥାର୍ଥ ସମାଧାନ ହେଉନାହିଁ।
ଏହା ସହିତ ଜିଲ୍ଲାପାଳଙ୍କ ଗତ ଜନଶୁଣାଣୀ କାର୍ଯ୍ୟକ୍ରମରେ ୫୭ ଗୋଟି ଅଭିଯୋଗ ଆସିଥିଲା। ଏହାର କ'ଣ ସମାଧାନ କରାଗଲା ତାହା ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଲୋକମାନଙ୍କ ପ୍ରାଥମିକ ସମସ୍ୟା ସମାଧାନ ପାଇଁ ଆମ ଆଦମୀ ପାର୍ଟି ସଦା ସଚେତନ ଓ ପ୍ରତିବଦ୍ଧ ରହିବ ବୋଲି ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂ କହିଥିଲେ।
ସଭା ଶେଷରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଓ ସ୍ଥାନୀୟ ଲୋକମାନଙ୍କ ସମସ୍ୟାକୁ ଆଗକୁ ଆଣିବା ପାଇଁ ସମସ୍ତ ସଦସ୍ୟଙ୍କୁ ଜିଲ୍ଲା ଉପସଭାପତି ଜୈନୁଲ ଆବେଦିନ ଆହ୍ୱାନ କରିଥିଲେ।
ରାଜ୍ୟ
ବାଂଶପାଳ ବ୍ଲକରେ ଆମ୍ ଆଦମୀ ପାର୍ଟିର ସଂଗଠନ ସଭା:ପାଣି ସମସ୍ୟାକୁ ନେଇ ତୀବ୍ର ପ୍ରତିବାଦ।
- Hits: 7








