ଝାରସୁଗୁଡା, ୩୧ ମାର୍ଚ୍ଚ: ଝାରସୁଗୁଡାରେ ଘରୋଇ ସ୍କୁଲମାନଙ୍କର ଅନିୟମିତ ଓ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଝାରସୁଗୁଡା ନଗର କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟ ସମ୍ମୁଖରେ ୪ ଘଣ୍ଟିଆ ଧାରଣା ପ୍ରଦର୍ଶନ କରାଯାଇଛି।
ଏହି ପ୍ରତିବାଦ ସଭାରେ କଂଗ୍ରେସ କର୍ମୀମାନେ ଘରୋଇ ସ୍କୁଲମାନଙ୍କ ଦ୍ୱାରା ଅତ୍ୟଧିକ ଫି ବୃଦ୍ଧି, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପରେ ଅନାବଶ୍ୟକ ଚାପ, ଏବଂ ଶିକ୍ଷାର ନାମରେ ବାଣିଜ୍ୟିକରଣ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଧାରଣା ପରେ ନଗର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବୀପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଦାବୀଗୁଡିକ ମଧ୍ୟରେ ଘରୋଇ ସ୍କୁଲର ଅନିୟନ୍ତ୍ରିତ ଫି ବୃଦ୍ଧି ଉପରେ ତତ୍କ୍ଷଣାତ ନିୟନ୍ତ୍ରଣ, ଅଭିଭାବକଙ୍କୁ ଜରିମାନା ଓ ଚାପ ଦେବା ପ୍ରଥା ବନ୍ଦ, ନିର୍ଦ୍ଧାରିତ ଦୋକାନରୁ ପୁସ୍ତକ ଓ ୟୁନିଫର୍ମ କ୍ରୟରେ ବାଧ୍ୟତା ରୋକ, CBSE ସ୍କୁଲରେ ବେସରକାରୀ ପୁସ୍ତକ ପ୍ରଚଳନ ବନ୍ଦ, NEP 2020 ଆଧାରିତ ଶିକ୍ଷା ପ୍ରଣାଳୀକୁ କଡାକଡି ଭାବେ ଲାଗୁ କରିବା ଓ RTE ଆଇନ ଉଲ୍ଲଂଘନ କରୁଥିବା ସ୍କୁଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆଦି ଉଲ୍ଲେଖ ରହିଛି।
ଏଥିସହ ଜିଲ୍ଲା ସ୍ତରରେ ଅଭିଯୋଗ ନିବାରଣ ପାଇଁ ବିଶେଷ ସେଲ ଗଠନ ଓ ଶିକ୍ଷାର ଗୁଣମାନ ଉପରେ ନିୟମିତ ନିରୀକ୍ଷଣ ଦାବୀ କରାଯାଇଛି।
ଏହି ଧାରଣାରେ ନଗର କଂଗ୍ରେସ ସଭାପତି ଦେବାନନ୍ଦ ବାରିକଙ୍କ ସହ ରିୟାଜ ହୁସେନ, ଶୈଳେଶ ଅବସ୍ତି, ନିଖିଳ ଘୋଷ, କାଜଲ ଘୋଷ, ସଞ୍ଜୟ ମହାପାତ୍ର, ସଞ୍ଜୟ ପାଲ, ଭି. ଗୌରୀଶଙ୍କର, ବସନ୍ତ ପଣ୍ଡା, ବିଜୟ ଦାସ, ସଞ୍ଜୟ ପାଣିଗ୍ରାହୀ, ଗୌରୀଶଙ୍କର ତନ୍ତୀ ଓ ଜ୍ଞାନେନ୍ଦ୍ର ବେହେରା ସହ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇଥିଲେ।
କଂଗ୍ରେସ ନେତାମାନେ ସତର୍କ କରି କହିଛନ୍ତି ଯେ, ଯଦି ଶୀଘ୍ର ଦାବୀଗୁଡିକ ପୂରଣ କରାଯିବ ନାହିଁ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।








