ପୁରୀ, (ଅନିମେଷ ପଟ୍ଟନାୟକ): ପୁରୀ ଆଇଟି ଆସୋସିଏସନ ପକ୍ଷରୁ ସମୁଦ୍ରକୂଳ ସ୍ଥିତ ନିଳାଦ୍ରୀ ବିଚ ଓପନ ଅଡିଟୋରିୟମରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭରେ ଅନୁଷ୍ଠାନର ସଦସ୍ୟମାନେ ଦିବଂଗତ ସଦସ୍ୟ ହରେକୃଷ୍ଣ ପ୍ରଧାନୀ ଓ ନାରାୟଣ ବରାଳଙ୍କ ଅମର ଆତ୍ମାର ସଦଗତି କାମନାରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଆସୋସିଏସନର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ ଯେ, ପୁରୀ ସହରରେ ଦିନକୁ ଦିନ ଡିଜିଟାଲ ନେଟୱର୍କ ଓ ଆଇଟି ସେବାର ଚାହିଦା ବଢୁଥିବା ବେଳେ, ନିରବଛିନ୍ନ ଏବଂ ବିଶ୍ବସନୀୟ ସେବା ପ୍ରଦାନ କରି ସଂଗଠନର ସୁନାମ ଅଟୁଟ ରଖିବା ଆବଶ୍ୟକ। ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ କରିବା ସହ ଲୋକମାନଙ୍କୁ ଉତ୍କୃଷ୍ଟ ଆଇଟି ସେବା ଯୋଗାଇବାକୁ ସଂକଳ୍ପବଦ୍ଧ ହୋଇଥିଲେ।
ସଭାରେ ସମ୍ପାଦକ ଅଜିତ କୁମାର ଜେନା, କୋଷାଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନୀ ଓ ଜୟ ପ୍ରକାଶ ରଥ ନୂତନ ସଦସ୍ୟ ସଂଗ୍ରହ, ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ରେଜିଷ୍ଟ୍ରେସନ ଓ ଆର୍ଥିକ ସୁଦୃଢତା ବିଷୟରେ ଆଲୋକପାତ କରିଥିଲେ। ସହରରେ ରଥଯାତ୍ରା, ଚନ୍ଦନଯାତ୍ରା, ଜାଗରଯାତ୍ରା ସହ ଗ୍ରୀଷ୍ମ ଓ ଶୀତ ଋତୁରେ ସାମାଜିକ ସେବା କାର୍ଯ୍ୟକ୍ରମ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା। ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ଆଇଟି ସେବା ବିସ୍ତାର କରି ଲୋକମାନଙ୍କର ବିଶ୍ୱାସ ଜିତିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।
ଏପ୍ରିଲ ୧୦ ତାରିଖରେ ପୁନର୍ବାର ସଭା ଆୟୋଜନ କରାଯାଇ ନୂତନ କାର୍ଯ୍ୟକ୍ରମ ଗ୍ରହଣ କରାଯିବାକୁ ଠିକ ହୋଇଥିଲା। ଶେଷରେ ଉପସଭାପତି ସଞ୍ଜୀବ ନାୟକ ଧନ୍ୟବାଦ ଜଣାଇଥିଲେ। ସଭାରେ ହେକ୍ଟର ମିଶ୍ର, ଅଭୟ କୁମାର ସ୍ୱାଇଁ, ପ୍ରିୟବ୍ରତ ପ୍ରଧାନ, ସ୍ୱୟଂଭୁ ପଟ୍ଟନାୟକ, ଇନାମ ରସୁଲ, ଏମ.ଡି. ଅଜିଜ, ହିମାଂଶୁ ମୋହନ ମହାନ୍ତି, ସୁଦର୍ଶନ ବରାଳ, ଧୀରେନ କୁମାର ମହନ୍ତ ଓ ସୌମ୍ୟେନ୍ଦ୍ର ସୁନ୍ଦର ରାୟ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ପୁରୀ ଆଇଟି ଆସୋସିଏସନର ସାଧାରଣ ସଭା ଅନୁଷ୍ଠିତ
- Hits: 11








