ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ପାଳିତ ହେଉଥିବା ନବଦିନ ଶ୍ରୀରାମନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ‘ଗଙ୍ଗାପାର ବେଶ’ ଦୃଶ୍ୟ ଭକ୍ତମାନଙ୍କୁ ଭାବବିଭୋର କରିଦେଇଥିଲା। କୈବର୍ତ୍ତଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ପାଦ ପ୍ରକ୍ଷ୍ୟାଳନ ଓ ଗଙ୍ଗାପାର ଲୀଳାର ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ପୁରାଣ କଥାନୁସାରେ, ଭକ୍ତବତ୍ସଳ ପ୍ରଭୁ ଶ୍ରୀରାମ ଭକ୍ତଙ୍କ ଇଚ୍ଛା ପୂରଣ ପାଇଁ ଧରାବତାରଣ କରିଥାନ୍ତି। ସତ୍ୟଯୁଗରେ ଭକ୍ତ ଶବରଙ୍କ ଅନାବିଳ ଭକ୍ତିରେ ପ୍ରସନ୍ନ ହୋଇ ପ୍ରଭୁ ତାଙ୍କୁ ଦର୍ଶନ ଦେଇଥିଲେ ଓ ମୋକ୍ଷ୍ୟର ବର ପ୍ରଦାନ କରିଥିଲେ। ପରବର୍ତ୍ତୀ ଜନ୍ମରେ ସେହି ଭକ୍ତ କୈବର୍ତ୍ତ ରୂପେ ଗଙ୍ଗାଘାଟରେ ନୌକା ଧରି ପ୍ରଭୁଙ୍କ ଦର୍ଶନ ଆଶାରେ ଅପେକ୍ଷା କରୁଥିଲେ।
ତ୍ରେତୟାଯୁଗରେ ତାଡକା ବଧ ପରେ ବିଶ୍ୱାମିତ୍ରଙ୍କ ସହ ମିଥିଳା ଯାତ୍ରାକାଳରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଗଙ୍ଗାଘାଟରେ ପହଞ୍ଚିଥିଲେ। ସେଠାରେ ଅପେକ୍ଷାରତ କୈବର୍ତ୍ତ ପ୍ରଭୁଙ୍କ ପାଦ ପ୍ରକ୍ଷ୍ୟାଳନ ପାଇଁ ନିବେଦନ କରିଥିଲେ। ଭକ୍ତର ମନକୁ ପରୀକ୍ଷା କରିବା ପାଇଁ ପ୍ରଭୁ ଏହାକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ, କୈବର୍ତ୍ତ ଚତୁରତାର ସହ ପଦଧୂଳି ପଡ଼ି ନୌକା ନାଇକା ହେଲେ ଜୀବିକା ଚଳାଇବା କଷ୍ଟକର ହେବ ବୋଲି କହିଥିଲେ । ଏହି ଭାବପ୍ରବଣ ଯୁକ୍ତିରେ ପ୍ରଭୁ ବିବଶ ହୋଇ ପାଦ ପ୍ରକ୍ଷ୍ୟାଳନକୁ ସ୍ୱୀକାର କରିଥିଲେ। ଏହି ଲୀଳାରେ ଭକ୍ତିର ଶ୍ରେଷ୍ଠତା ଓ ଭଗବାନଙ୍କ ଭକ୍ତପ୍ରେମ ସ୍ପଷ୍ଟ ହୋଇଥିଲା। ଯେଉଁ ପାଦକୁ ବ୍ରହ୍ମା, ଶିବ ଆଦି ଦେବତାମାନେ ସହଜରେ ସ୍ପର୍ଶ କରିପାରନ୍ତିନି, ସେହି ପାଦକୁ ସାଧାରଣ କୈବର୍ତ୍ତ ସ୍ପର୍ଶ କରିବାରେ ସଫଳ ହେବା ଭକ୍ତିର ମାହାତ୍ମ୍ୟକୁ ପ୍ରକାଶ କରିଥିଲା। ଏହି ଅବସରରେ ଭକ୍ତମାନେ ରାମାୟଣର ଏହି ପବିତ୍ର କଥାରୁ ନିଷ୍କାମ ଭକ୍ତି, ପ୍ରେମ ଓ ବିଶ୍ୱାସର ପାଠ ଗ୍ରହଣ କରିଥିଲେ। ସମାଜରେ ଏହି ମୂଲ୍ୟବୋଧ ଅନୁସରଣ କଲେ ‘ରାମରାଜ୍ୟ’ର ଅନୁଭୂତି ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।
ରାଜ୍ୟ
ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ଚତୁର୍ଥ ସନ୍ଧ୍ୟା, ‘ଗଙ୍ଗାପାର ବେଶ’ ଶ୍ରଦ୍ଧାଳୁଙ୍କ ମନମୋହିଲା
- Hits: 6








