ଭୁବନେଶ୍ୱର, ୨୯ ମାର୍ଚ୍ଚ, ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଗତ ମାର୍ଚ୍ଚ ୨୮, ୨୦୨୬ ରେ ଭୁବନେଶ୍ୱରଠାରେ ୨୭ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ (ଏମ୍ଇଆଣ୍ଡଏମସି) ସପ୍ତାହ ୨୦୨୫-୨୬ର ଉଦଯାପନୀ ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ର ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ (ଥିମ୍) ଥିଲା “ଡିଜିଟାଲ୍ ମାଇନିଂ: ଟ୍ରାନ୍ସଫର୍ମିଂ ଟୁଡେ, ସଷ୍ଟେନିଂ ଟୁମୋରୋ” (ଡିଜିଟାଲ୍ ଖନନ: ଆଜିର ପରିବର୍ତ୍ତନ, ଆଗାମୀ କାଲିର ସୁରକ୍ଷା)।
ଏଏମ୍/ଏନ୍ଏସ୍ ଇଣ୍ଡିଆର ଘୋରାବୁରହାଣୀ ସାଗାସାହି ଖଣି ଚାରୋଟି ପୁରସ୍କାର ହାସଲ କରିଛି, ଯେଉଁଥିରେ ଖଣିଜ ସଂରକ୍ଷଣ ପାଇଁ ପ୍ରଥମ ପୁରସ୍କାର, ସାମଗ୍ରିକ ପ୍ରଦର୍ଶନ ପାଇଁ ପ୍ରଥମ ପୁରସ୍କାର, ବନୀକରଣ ପାଇଁ ଦ୍ୱିତୀୟ ପୁରସ୍କାର ଏବଂ ବ୍ୟବସ୍ଥିତ ଓ ବୈଜ୍ଞାନିକ ବିକାଶ ପାଇଁ ତୃତୀୟ ପୁରସ୍କାର ଅନ୍ତର୍ଭୁକ୍ତ। ସେହିଭଳି ଏଏମ୍/ଏନ୍ଏସ୍ ଇଣ୍ଡିଆର ଠାକୁରାଣୀ ଖଣି ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତୃତୀୟ ପୁରସ୍କାର ପାଇଛି।ଭାରତୀୟ ଖଣି ବ୍ୟୁରୋର ଏକ ପ୍ରତିନିଧି ଦଳ ଦ୍ୱାରା କରାଯାଇଥିବା ବିସ୍ତୃତ ମୂଲ୍ୟାଙ୍କନ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୮୭ ରୁ ଅଧିକ ଖଣି କମ୍ପାନୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଟାଟା ଷ୍ଟିଲ୍ , ନାଲକୋ , ଜେଏସଡବ୍ଲ୍ୟୁ ଏବଂ ଓଏମସି ଭଳି ଅଗ୍ରଣୀ ସଂସ୍ଥାମାନେ ଅଂଶଗ୍ରହଣ କରିଥିଲେ।
ଭାରତୀୟ ଖଣି ବ୍ୟୁରୋର କଣ୍ଟ୍ରୋଲର୍ ଜେନେରାଲ୍ ଶ୍ରୀ ପଙ୍କଜ କୁଲଶ୍ରେଷ୍ଠ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆଇବିଏମ୍ (ପୂର୍ବ ଜୋନ୍) ର କଣ୍ଟ୍ରୋଲର୍ ଅଫ୍ ମାଇନ୍ସ ଡଃ ପୁଖରାଜ ନେନିୱାଲ୍ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ୨୭ତମ ଏମ୍ଇଆଣ୍ଡଏମସି ସପ୍ତାହର ଆବାହକ ତଥା ଆଇବିଏମ୍ ଭୁବନେଶ୍ୱରର ଆଞ୍ଚଳିକ କଣ୍ଟ୍ରୋଲର୍ ଅଫ୍ ମାଇନ୍ସ ଶ୍ରୀ ଅରୁଣ କୁମାର, ଆଇବିଏମ୍ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ଖଣି ଭୂବିଜ୍ଞାନୀ ଶ୍ରୀ ସଞ୍ଜୀବ କୁମାର ମହାପାତ୍ର, ୨୭ତମ ଏମ୍ଇଆଣ୍ଡଏମସି ସପ୍ତାହର ଅଧ୍ୟକ୍ଷ ତଥା ଏଏମ୍/ଏନ୍ଏସ୍ ଇଣ୍ଡିଆର ସିନିୟର ଜେନେରାଲ୍ ମ୍ୟାନେଜର (ମାଇନ୍ସ ଅପରେସନ୍ସ) ଶ୍ରୀ ଅମିତ କୁମାର ଦୁବେ, ୨୭ତମ ଏମ୍ଇଆଣ୍ଡଏମସି ସପ୍ତାହର ସହ-ଅଧ୍ୟକ୍ଷ ତଥା ଜେଏସଡବ୍ଲୁର ବିଜନେସ୍ ହେଡ୍ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା, ଏଏମ୍/ଏନ୍ଏସ୍ ଇଣ୍ଡିଆର ଠାକୁରାଣୀ ଖଣି ପରିଚାଳକ ଶ୍ରୀ ଇନ୍ଦ୍ରକାନ୍ତ ସାହା, ସାଗାସାହି ଖଣି ପରିଚାଳକ ଶ୍ରୀ ସତ୍ୟକାମ ଦାସ ଏବଂ ଏଏମ୍/ଏନ୍ଏସ୍ ଇଣ୍ଡିଆର ମାଇନ୍ ପ୍ଲାନିଂ ହେଡ୍ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଏଏମ୍/ଏନ୍ଏସ୍ ଇଣ୍ଡିଆର ମାଇନିଂ ଏବଂ ଷ୍ଟ୍ରାଟେଜିକ ପ୍ରୋଜେକ୍ଟ ନିର୍ଦ୍ଦେଶକ ଶ୍ରୀ ଆଲୋକ କୁମାର ମେହେଟ୍ଟା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଖଣି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ, ଶିଳ୍ପ ଜଗତର ନେତୃତ୍ୱ ଏବଂ ଅଂଶୀଦାରମାନେ ଉପସ୍ଥିତ ଥିଲେ।
ପତାକା ଉତ୍ତୋଳନ ଏବଂ ଏମ୍ଇଆଣ୍ଡଏମସି ଶପଥ ପାଠ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଉଦଘାଟନୀ ସମାରୋହରେ ଶ୍ରୀ ଅମିତ କୁମାର ଦୁବେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଖଣି ଶିଳ୍ପରେ ଡିଜିଟାଲ୍ ରୂପାନ୍ତରଣର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ। ଏହି ଅବସରରେ ୨୭ତମ ଏମ୍ଇଆଣ୍ଡଏମସି ସ୍ମରଣିକା ଏବଂ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା, ଯାହା ପରେ ଶ୍ରୀ ଅରୁଣ କୁମାର ସପ୍ତାହବ୍ୟାପୀ ଅନୁଷ୍ଠିତ କାର୍ଯ୍ୟକଳାପର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହାପରେ ଆଇବିଏମର ବରିଷ୍ଠ ଅଧିକାରୀମାନେ ସଭାକୁ ସମ୍ବୋଧିତ କରିଥିଲେ ଏବଂ ପରିବେଶ ପରିଚାଳନା ତଥା ଖଣିଜ ସଂରକ୍ଷଣର ଗୁରୁତ୍ୱ ଉପରେ ସେମାନଙ୍କର ଗଠନମୂଳକ ଚିନ୍ତାଧାରା ଉପସ୍ଥାପନ କରିଥିଲେ।
ଶ୍ରୀ ଆଲୋକ କୁମାର ମେହେଟ୍ଟା କହିଥିଲେ ପରିବେଶଗତ ଦାୟିତ୍ୱବୋଧର ସର୍ବୋଚ୍ଚମାନ ବଜାୟ ରଖିବା ସହିତ ଡିଜିଟାଲ୍ ଜ୍ଞାନକୌଶଳକୁ ଆପଣେଇବାରେ ହିଁ ଖଣି ଶିଳ୍ପର ଭବିଷ୍ୟତ ନିହିତ ଅଛି। ଏଏମ୍/ଏନ୍ଏସ୍ ଇଣ୍ଡିଆରେ ଆମେ ଏଭଳି ଅଭିନବ ପ୍ରୟାସ ଜାରି ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଯାହାକି ସ୍ଥାୟୀ ବିକାଶରେ ସହାୟକ ହୋଇପାରିବ।
ଶ୍ରୀ ପଙ୍କଜ କୁଲଶ୍ରେଷ୍ଠ ଆଲୋକପାତ କରିଥିଲେ ଯେ ସମ୍ବଳର ସୁବିନିଯୋଗ, ପରିବେଶ ସୁରକ୍ଷା ଏବଂ ଖଣି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ପାଇଁ ନୂତନ ଜ୍ଞାନକୌଶଳ ତଥା ସ୍ଥାୟୀତ୍ୱ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିତାନ୍ତ ଆବଶ୍ୟକ। ସେ ଅଂଶଗ୍ରହଣ କରିଥିବା କମ୍ପାନୀଗୁଡ଼ିକର ସମ୍ମିଳିତ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହିତ ଦାୟିତ୍ୱସମ୍ପନ୍ନ ଖଣି ଖନନ ପ୍ରଣାଳୀ ପ୍ରତି ନିଜର ପ୍ରତିବଦ୍ଧତା ଦୃଢ଼ ଭାବରେ ବଜାୟ ରଖିବାକୁ ଶିଳ୍ପ ଜଗତକୁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ କରାଯାଇଥିଲା, ଯେଉଁଥିରେ ଖଣି ପରିଚାଳନା, ପରିବେଶ ପରିଚାଳନା ଏବଂ ଖଣିଜ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ସଂସ୍କରଣର ଆୟୋଜକ ଭାବେ ଏମ୍ଇଆଣ୍ଡଏମସି ପତାକାକୁ ଜେଏସଡବ୍ଲୁ ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନ କରି ଏଏମ୍/ଏନ୍ଏସ୍ ଇଣ୍ଡିଆ ଏକ ଦାୟିତ୍ୱବାନ ଖଣି କମ୍ପାନୀ ଭାବେ ନିଜର ଭୂମିକାକୁ ପୁନଃ ପ୍ରତିପାଦିତ କରିଛି, ଯାହା ଶିଳ୍ପ ଏବଂ ସମାଜର ଦୀର୍ଘକାଳୀନ ହିତ ପାଇଁ ନିରନ୍ତର ଅଭ୍ୟାସ ଏବଂ ନୂତନତ୍ୱକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ।








