କେନ୍ଦୁଝର,ତା୨୧/୩- ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଗତକାଲି ରାତିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ପିଲାମାନେ ଖାଇବାପରେ ଗୋଟେ ପ୍ରଥମ ଶ୍ରେଣୀର ଛାତ୍ର ସତ୍ୟବାନ ମୁଣ୍ଡା (୭)କୁ ଉକ୍ତ ଆଶ୍ରମ ସ୍କୁଲର ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲାମାନେ ଅମାନୁଷିକ ଭାବେ ପୋଡି ଦେଇଛନ୍ତି। ସେହି ସମୟରେ ଆଶ୍ରମ ସ୍କୁଲର ରାତ୍ର ଜଗୁଆଳି ମଦ ନିଶାରେ ଚୁର୍ ଥିଲା। ବିଚାର ସତ୍ୟବାନର ଆଖି, ଗୁପ୍ତାଙ୍ଗ ଓ ଶାରୀରର ବିଭିନ୍ନ ସ୍ଥାନକୁ ପୋଡିଦିଆ ଯାଇଛି। ଆଜି ସକାଳେ ପିଲାଟିକୁ ସ୍ଥାନୀୟ କ୍ଲିନିକରେ ପ୍ରଧାନଶିକ୍ଷକ ଚିକିତ୍ସା କରାଇ ତା' ବାପାକୁ ଖବର ଦେଇଥିଲେ। ପିଲାଟିର ବାପାଙ୍କ ନାମ ବିଜୁ ମୁଣ୍ଡା ଓ ମାଆ ନାମ ତୁଳସୀ ମୁଣ୍ଡା। ତାଙ୍କ ଘର ପାଟଣା ବ୍ଲକ, ଘଟଗାଁ ଥାନା ଅନ୍ତର୍ଗତ ଡ଼ୁମୁରିଆ ପଞ୍ଚାୟତର ବାଇଦବଜା ଗ୍ରାମରେ। ଖବରପାଇ ପିଲାଟିର ବାପା ଆସି ପୁଅକୁ ନେଇ ପାଟଣା ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ଏ ସଂକ୍ରାନ୍ତରେ ପାଟଣା ଡାକ୍ତର ସ୍ଥାନୀୟ ପୋଲିସକୁ ଅବଗତ କରାଇଥିଲେ। ଫଳରେ ପାଟଣା ପୋଲିସ ଘଟଗାଁ ଥାନା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇଛନ୍ତି। ବର୍ତ୍ତମାନ ପିଲାଟିକୁ ତା' ବାପାମାଆ ଘଟଗାଁ ଥାନା ଅଧିକାରୀଙ୍କ ନିକଟରେ ରଖିଛନ୍ତି। ପିଲାଟିର ଅବସ୍ଥା ଗୁରୁତର ଅଛି ବୋଲି ଜଣାଯାଇଛି। କାହିଁକି ତା'କୁ ଅନ୍ୟ ପିଲାମାନେ ପୋଡ଼ି ମାରୁଥିଲେ ଏ ସଂକ୍ରାନ୍ତରେ ପ୍ରଧାନଶିକ୍ଷକ ବି ଅବଗତ ନୁହଁନ୍ତି। ଏ ଘଟଣା ଘଟିବାପରେ ବର୍ତ୍ତମାନ ଅନ୍ୟ ଛାତ୍ରମାନେ ଭୟଭୀତ ହେବା ସହିତ ଅଭିଭାବକ ମହଲରେ ଛନକା ପଶିଯାଇଛି। ଘଟଗାଁ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।
ରାଜ୍ୟ
ତୋରାଣି ପୋଖରୀ ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ପୋଡିଦେଲେ।
- Hits: 6








