ହେଡଲାଇନସ୍:

ମାଲକାନଗିରି ଜିଲ୍ଲା ଗସ୍ତ କଲେ ମହିଳା ଓ ଶିଶୁ ବିକାଶ ସଚିବ ଡଃ ମୃଣାଳିନୀ ଦର୍ଶାଲ; ପୁଷ୍ଟିହୀନତା ଦୂରୀକରଣ ଉପରେ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ ମୃଣାଳିନୀ ଦର୍ଶାଲ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭାଗୀୟ ଯୋଜନାର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ତାଙ୍କର ଏହି ଗସ୍ତ ତୃଣମୂଳ ସ୍ତରରେ ସେବା ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସକାରାତ୍ମକ ପଦକ୍ଷେପ ରୂପେ ପରିଗଣିତ ହୋଇଛି।ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସୁପୋଷିତ ଲକ୍ଷ୍ୟ କର୍ମଶାଳାରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ କମିଶନର କହିଛନ୍ତି ଯେ ଆମେ ସୁପୋଷିତ ମିଶନ ଜରିଆରେ ମାଲକାନଗିରି ଜିଲ୍ଲାର ଶିଶୁମାନଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ କରୁଛୁ। ମାଲକାନଗିରି ଜିଲ୍ଲାରେ ଏହି ଲକ୍ଷ୍ୟ ହାସଲ ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରାଯାଇ କାର୍ଯ୍ୟ କରାଯାଉଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ। ମାଥିଲି ବ୍ଲକ୍‌ ଗସ୍ତ କରି ସେଠାକାର ପୋଷଣ ସ୍ଥିତି ସମୀକ୍ଷା କରିଛନ୍ତି କମିଶନର । ସେଠାରେ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ସେଠାରେ ଥିବା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।ଅନେକ ଅଙ୍ଗନୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଥିବାରୁ, ସେଗୁଡ଼ିକ ପାଇଁ ନୂତନ ସରକାରୀ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୨୦୨୯ ମସିହା ସୁଦ୍ଧା ଧାର୍ଯ୍ୟ ହୋଇଥିବା ପୁଷ୍ଟିହୀନତା ମୁକ୍ତ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସଚିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁଷ୍ଟି ପୁନର୍ବାସ କେନ୍ଦ୍ର ( ଏନଆରସି) ପରିଦର୍ଶନ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ସେଠାରେ ଉପଲବ୍ଧ ସୁବିଧା ସୁଯୋଗର ତଦାରଖ କରିଥିଲେ।ମହିଳାମାନଙ୍କ ସୁରକ୍ଷା ଓ ସହାୟତା ପାଇଁ କାର୍ଯ୍ୟ କରୁଥିବା ସଖୀ କେନ୍ଦ୍ର ପରିଦର୍ଶନ କରି ସେଠାରେ ପୀଡ଼ିତାମାନଙ୍କୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ସନ୍ତୋଷ ପ୍ରକାଶ କରିଥିଲେ।

ଗସ୍ତ ସମୟରେ ଡଃ ଦର୍ଶାଲ କହିଛନ୍ତି ଯେ, ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ତାହା ଆମର ପ୍ରାଥମିକତା। ଏଥିସହ ସେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସୁଦୃଢ଼ୀକରଣ ଏବଂ ପୁଷ୍ଟିକର ଖାଦ୍ୟ ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ଡୋଳାମଣି ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ, ଟିପିଏସଓଡିଏଲ ଅଧିକାରୀ, ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ ସୁପରଭାଇଜରମାନେ ଉପସ୍ଥିତ ଥିଲେ ।

0
0
0
s2sdefault