ବିଜେପୁର :-ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ଘଟଣା ସାମ୍ନାକୁ ଆସିଛି। ବିଇଓ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିଅର କ୍ଲର୍କ-କମ-ଆକାଉଣ୍ଟାଣ୍ଟ ରଜନୀ କାନ୍ତ କରଙ୍କୁ ଓଡ଼ିଶା ଭିଜିଲାନ୍ସ ଦଳ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଙ୍ଗେହାତେ ଗିରଫ କରିଛି। ଜଣେ କର୍ମଚାରୀଙ୍କ ବକେୟା ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ ଏହି ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ରହିଛି।
ସୂଚନା ଅନୁସାରେ, ବିଇଓ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ବକେୟା ଦରମା ଦୀର୍ଘଦିନ ଧରି ଅଟକି ରହିଥିଲା। ସେ ତାଙ୍କ ବକେୟା ଦରମା ପାଇବା ପାଇଁ ଅନେକଥର କାର୍ଯ୍ୟାଳୟରେ ଅନୁରୋଧ କରିଥିଲେ। କିନ୍ତୁ ଜୁନିଅର କ୍ଲର୍କ-କମ-ଆକାଉଣ୍ଟାଣ୍ଟ ରଜନୀ କାନ୍ତ କର ତାଙ୍କ ବିଲ୍ ପ୍ରସ୍ତୁତ କରିବାରେ ଅନାଗ୍ରହ ଦେଖାଇଥିଲେ। ବରଂ ବକେୟା ଦରମା ବିଲ୍ ପ୍ରସ୍ତୁତ କରିବା ପାଇଁ ସେ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ଆସିଥିଲା।
ଏହାରେ କ୍ଷୁବ୍ଧ ହୋଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲେ। ଆଜି ଭିଜିଲାନ୍ସର ଏକ ଟିମ୍ ବରପାଲି ବିଇଓ କାର୍ଯ୍ୟାଳୟରେ ଚଢ଼ାଉ କରି ରଜନୀ କାନ୍ତ କରଙ୍କୁ ଅଭିଯୋଗକାରୀଙ୍କଠାରୁ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତେ ଧରିଥିଲେ।ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଦାଗୀ ଲାଞ୍ଚ ଟଙ୍କା ୬,୦୦୦ ଟଙ୍କା ଉଦ୍ଧାର କରି ଜବତ କରିଛନ୍ତି। ପରେ ତାଙ୍କୁ ଗିରଫ କରାଯାଇଛି। ଏହା ସହିତ ଭିଜିଲାନ୍ସ ପକ୍ଷରୁ ଡିଏ ଦୃଷ୍ଟିକୋଣରୁ ରଜନୀ କାନ୍ତ କରଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ସନ୍ଧାନ ଚାଲିଥିବା ସୂଚନା ମିଳିଛି।ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ନଂ–୦୨, ତାରିଖ ୧୫.୦୩.୨୦୨୬ ରେ ପିସି (ସଂଶୋଧନ) ଆଇନ ୨୦୧୮ ର ଧାରା ୭ ଅନୁସାରେ ରଜନୀ କାନ୍ତ କରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।ଏହି ଘଟଣା ପରେ ବରପାଲି ବିଇଓ କାର୍ଯ୍ୟାଳୟ ଓ ଶିକ୍ଷା ବିଭାଗ ମହଳରେ ଚର୍ଚ୍ଚା ଜୋର ଧରିଛି। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ଘଟଣା ପୁନର୍ବାର ସାମ୍ନାକୁ ଆସିବାରୁ ସାଧାରଣ ଲୋକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜ୍ୟ
ଭିଜିଲାନ୍ସ ହାତରେ ଧରା ପଡିଲେ ଜୁନିଅର କ୍ଲର୍କ
- Hits: 923








