ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଶିଶୁରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର ପାଣ୍ଡିଆ ଓ ସ୍ତ୍ରୀ ଏବଂ ପ୍ରସୂତି ବିଶେଷଜ୍ଞ ଡା. ସୁଭେନ୍ଦୁ ମେହେର ଯୋଗଦେଇଥିବାରୁ ଅଞ୍ଚଳର ସ୍ୱାସ୍ଥ୍ୟ ସେବାରେ ନୂଆ ଆଶା ସୃଷ୍ଟି ହୋଇଛି। ଦୁଇଜଣ ବିଶେଷଜ୍ଞ ଡାକ୍ତର ବିଜେପୁର ଡାକ୍ତରଖାନାରେ ଯୋଗଦେବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଦେଖାଦେଇଛି।ଦୀର୍ଘଦିନ ଧରି ବିଜେପୁର ଅଞ୍ଚଳରେ ଶିଶୁରୋଗ ଓ ଗାଇନେକୋଲଜି ବିଶେଷଜ୍ଞଙ୍କ ଅଭାବ ଥିବାରୁ ରୋଗୀମାନେ ବରଗଡ଼ କିମ୍ବା ବୁର୍ଲା ଭୀମସାର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଯିବାକୁ ପଡୁଥିଲା। ଏହା ଫଳରେ ଅନେକ ସମୟରେ ରୋଗୀମାନେ ଅସୁବିଧା ଭୋଗୁଥିଲେ ଓ ଅଧିକ ଖର୍ଚ୍ଚ ମଧ୍ୟ ହେଉଥିଲେ। ଏବେ ଏହି ଦୁଇଜଣ ବିଶେଷଜ୍ଞ ଡାକ୍ତରଙ୍କ ଯୋଗଦାନ ଫଳରେ ବିଜେପୁର ଓ ଆସପାସ ଅଞ୍ଚଳର ଲୋକମାନେ ସ୍ଥାନୀୟ ଡାକ୍ତରଖାନାରେ ହିଁ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛି।ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ବିଜେପୁର ବିଧାୟକ ସନତ କୁମାର ଗଡତିୟାଙ୍କ ଉଦ୍ୟମରେ ଏହି ଦୁଇଜଣ ବିଶେଷଜ୍ଞ ଡାକ୍ତରଙ୍କ ପୋଷ୍ଟିଂ ସମ୍ଭବ ହୋଇଛି। ଏହା ଫଳରେ ଅଞ୍ଚଳର ମହିଳା ଓ ଶିଶୁମାନେ ଅଧିକ ଉପକୃତ ହେବେ ବୋଲି ସେମାନେ କହିଛନ୍ତି।ଏହି ଅବସରରେ ଶିଶୁରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର ପାଣ୍ଡିଆ କହିଥିଲେ ଯେ ବିଜେପୁର ଓ ଆଖପାଖ ଅଞ୍ଚଳର ଶିଶୁମାନଙ୍କୁ ସମୟୋପଯୋଗୀ ଓ ଉନ୍ନତ ଚିକିତ୍ସା ସେବା ଦେବା ପାଇଁ ସେ ସର୍ବଦା ପ୍ରୟାସ କରିବେ। ଶିଶୁମାନଙ୍କ ଟିକାକରଣ, ପୂଷ୍ଟିକର ଖାଦ୍ୟ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତି ଅଭିଭାବକମାନେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ।ସେହିପରି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ସୁଭେନ୍ଦୁ ମେହେର କହିଥିଲେ ଯେ ବିଜେପୁରରେ ମହିଳାମାନଙ୍କ ପାଇଁ ଉନ୍ନତ ଚିକିତ୍ସା ସୁବିଧା ଦେବା ପାଇଁ ସେ ପ୍ରୟାସ କରିବେ। ଜଟିଳ ପ୍ରସବ ସମସ୍ୟା ଓ ସିଜେରିଆନ୍ ଅପରେସନ୍ ସହ ବିଭିନ୍ନ ଚିକିତ୍ସା ବିଜେପୁରରେ ହିଁ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି l ଏହି ଅବସରରେ ବିଜେପୁରରେ ଯୋଗଦାନ କରିବା ପରେ ବିଭିନ୍ନ ସାମାଜିକ ଓ ସ୍ଥାନୀୟ ଅନୁଷ୍ଠାନର ପ୍ରତିନିଧିମାନେ ତାଙ୍କୁ ପୁଷ୍ପାଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ lବିଜେପୁର ସିଏଚସିରେ ଏଭଳି ଦୁଇଜଣ ବିଶେଷଜ୍ଞ ଡାକ୍ତର ଯୋଗଦେବାରୁ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।
ରାଜ୍ୟ
ବିଜେପୁର ସିଏଚସିରେ ଯୋଗଦେଲେ ଶିଶୁରୋଗ ବିଶେଷଜ୍ଞ ଡା. ହେମନ୍ତ ପାଣ୍ଡିଆ ଓ ସ୍ତ୍ରୀ–ପ୍ରସୂତି ବିଶେଷଜ୍ଞ ଡା. ସୁଭେନ୍ଦୁ ମେହେର
- Hits: 133








