-
ମନ୍ଦିର ରାସ୍ତାରେ ଆମିଷ ବିକ୍ରୟ ନିଷେଧ
-
ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ,
ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ିଶାର ପ୍ରସିଦ୍ଧି ଲାଭ କରିଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଳକ ସଭାଗୃହରେ ଶନିବାର ଅନୁଷ୍ଠିତ ହୋଇଯାଇଛି।ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୦୪ ଘଟିକା ସମୟରେ ଅନୁଷ୍ଠିତ ବୈଠକରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ,ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିପ୍ତିକାନ୍ତ ପ୍ରଧାନ,ବିଡ଼ିଓ ପ୍ରିତିବାଳା ରଣା,ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ସତ୍ୟ ନାରାୟଣ ବାରିକ,ଗୋଷ୍ଠୀ ଚିକିତ୍ସାଧିକାରୀ ଡା.ନିଲାଞ୍ଜନ ଦାସ ନୟାଗଡ଼ ଜିଲ୍ଲା ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସେବକ ସୁଆର ପରିଷଦ,ପୂଜକ ପରିଷଦ ଏବଂ ଓଡ଼ଗାଁର ବିଭିନ୍ନ ସାହିର ବୁଦ୍ଧିଜୀବି ମାନଙ୍କ ସହିତ ଆଲୋଚନା କରି ମନ୍ଦିର ପ୍ରଶାସନ ତରଫରୁ ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଚଳିତ ମାର୍ଚ୍ଚ ମାସ ୨୭ ତାରିଖ ଶୁକ୍ରବାର ଠାରୁ ଅପ୍ରେଲ ୦୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରାର ଗୁରୁବାରକୁ ଛାଡ଼ି କ୍ରମଅନୁସାରେ ୨୭ ତାରିଖରେ ଜନ୍ମନାରାୟଣ ବେଶ,୨୮ରେ ତାଡ଼କାବଦ୍ଧ,୨୯ରେ ଅହଲ୍ୟା ଉଦ୍ଧାରଣ ବେଶ,୩୦ରେ ଗଙ୍ଗାପାର ବେଶ,୩୧ରେ ଧନୁଭଗ୍ନ (ସୀତା ବିବାହ)ବେଶ ଏବଂ ଅପ୍ରେଲ ୦୧ରେ ବନବାସବେଶ,୦୨ ତାରିଖ ଗୁରୁବାର ପଡ଼ୁଥିବାରୁ ଏହି ସନ୍ଧ୍ୟାରେ ସାଧାରଣ ବେଶରେ ଦର୍ଶନ ଦେବେ ଠାକୁର। ପରବର୍ତ୍ତୀ ୦୩ ତାରିଖର ସନ୍ଧ୍ୟାରେ ଚିତ୍ରକୂଟ ବେଶ,୦୪ରେ ଅଷ୍ଟାବଧାନ ବେଶ,୦୫ରେ ଯୁଦ୍ଧଯାତ୍ରା ବେଶ,୦୬ ତାରିଖରେ ଅଭିଷେକ ସନ୍ଧ୍ୟାବେଶ ପ୍ରତି ସନ୍ଧ୍ୟା ୬ ଠାରୁ ରାତି ୧୧ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଦର୍ଶନ ଖୋଲା ରହିବ।କେବଳ ସୀତା ବିବାହ ବେଶ ସନ୍ଧ୍ୟା ୦୬ ଠାରୁ ରାତି ୦୨ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ।ପରଦିନ ୦୭ ତାରିଖରେ ଠାକୁର ପାଣିଖେଳ କରିବେ। ତେବେ ଯାତ୍ରୀ ଦର୍ଶନ,ପରିମଳ, ପାନୀୟଜଳ ଯୋଗାଣ,ଆଲୋକ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ସୂଚନା ଓ ଲୋକସମ୍ପର୍କ, ପ୍ରଚାର ଓ ପ୍ରସାର ବ୍ୟବସ୍ଥ, ଶାନ୍ତି ଶୃଙ୍ଖଳା ରକ୍ଷା, ଆକସ୍ମିକ ଦୁର୍ଘଟଣା ଓ ଆଶୁ ଚିକିତ୍ସା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମସ୍ତଙ୍କ ପରାମର୍ଶକ୍ରମେ ହନୁମାନଛକ ଠାରୁ ରଘୁନାଥ ମନ୍ଦିର ରାସ୍ତା ପାର୍ଶ୍ୱରେ ଆମିଷ ବିକ୍ରି ନିଷେଧ ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ।








