ହେଡଲାଇନସ୍:

ବିଜେପୁର ବିଧାୟକ ସନତ କୁମାର ଗଡତୀୟା ଙ୍କ ନେତୃତ୍ବରେ ବିରାଟ ମିଶ୍ରଣ ପର୍ବ ସହ ଉନ୍ନତିର ବୃହତ୍ ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ହାଇସ୍କୁଲ ପଡିଆରେ ଆୟୋଜିତ ଭାରତୀୟ ଜନତା ପାର୍ଟି ର ବିରାଟ ମିଶ୍ରଣ ପର୍ବ ରାଜନୈତିକ ଉତ୍ସାହ ସହ ଉନ୍ନତିମୂଳକ ଘୋଷଣାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଲା। ହଜାର ହଜାର କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭା ଅଞ୍ଚଳର ରାଜନୈତିକ ପରିବେଶକୁ ନୂତନ ଗତି ଦେଇଥିବା ବେଳେ, ବିଭିନ୍ନ ଉନ୍ନତି ପ୍ରକଳ୍ପ ଘୋଷଣା ଏହାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଥିଲା। ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ନେତୃତ୍ୱରେ ଓ ଜିଲ୍ଲା ସଭାପତି ଡା. ଅରୂପାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳଓ କଂଗ୍ରେସ ଦଳର ଟାଣୁଆ ଅନେକ ନେତା ଓ କର୍ମୀ ଆନୁଷ୍ଠାନିକ ଭାବରେ ଭାଜପାରେ ଯୋଗଦେଇଥିଲେ। ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା। ମଞ୍ଚରୁ ନେତୃତ୍ୱ ଦଳର ନୀତି, ଆଦର୍ଶ ଓ ଉନ୍ନତିମୂଳକ କାର୍ଯ୍ୟସୂଚୀ ବିଷୟରେ ସମ୍ପୂର୍ଣ୍ଣ ଆଲୋକପାତ କରିଥିଲେ।
ସଭାକୁ ସମ୍ବୋଧିତ କରି ବିଧାୟକ ଶ୍ରୀ ଗଡ଼ତୀୟା ବିଜେପୁର ଅଞ୍ଚଳ ପାଇଁ ବିଭିନ୍ନ ବୃହତ୍ ଅନୁଦାନ ଓ ପ୍ରକଳ୍ପ ଘୋଷଣା କରିଥିଲେ। ସେ କହିଥିଲେ ଯେ ବିଜେପୁର ହସ୍ପିଟାଲର ସମ୍ପୂର୍ଣ୍ଣ ଉନ୍ନତି ଓ ଆଧୁନିକୀକରଣ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଚିକିତ୍ସା ସେବାକୁ ଆହୁରି ସୁଦୃଢ଼ କରିବା ସହ ଦୂରଦୂରାନ୍ତର ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।ତାପରେ ହାଟ ଉନ୍ନତି ପାଇଁ ୧ କୋଟି ୮୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇ ସେ କହିଥିଲେ ଯେ ଏହା ଛୋଟ ଓ ମଧ୍ୟମ ବ୍ୟବସାୟୀଙ୍କୁ ଉତ୍ସାହିତ କରିବ। ବିଜେପୁର ମହାବିଦ୍ୟାଳୟର ଅବସ୍ଥାପନା ଉନ୍ନତି ଓ ପାଶ୍ୱ ରାସ୍ତା ସୁଧାର ପାଇଁ ମଧ୍ୟ ଅନୁଦାନ ମଞ୍ଜୁର ହୋଇଥିବା ସେ ଘୋଷଣା କରିଥିଲେ। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ପରିବେଶକୁ ଆହୁରି ସୁବିଧାଜନକ କରିବ ବୋଲି ମତ ଦିଆଯାଇଥିଲା। ସେହିପରି ବରପାଲି ଏନଏସି ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ୬ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ, ରାସ୍ତା ପ୍ରକଳ୍ପ ପାଇଁ ବିଶାଳ ୪୦୦ କୋଟି ଟଙ୍କା ବ୍ୟୟ ହେବାକୁ ଥିବା ସେ ଉଲ୍ଲେଖ କରିଥିଲେ। ଏଥିରୁ ୨୦୦ କୋଟି ବାଇପାସ ନିର୍ମାଣ ଓ ୨୦୦ କୋଟି ଜମି ଅଧିଗ୍ରହଣ ପାଇଁ ବ୍ୟୟ ହେବ। ଏହି ବାଇପାସ ନିର୍ମାଣ ହେଲେ ସହରର ଭିଡ଼ ଯାତାୟାତ ହ୍ରାସ ପାଇବ ଓ ବ୍ୟବସାୟିକ ଗତିବିଧି ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଗାଇସିଲେଟ ଜାମୁଟପାଲିରେ ବେରେଜ ନିର୍ମାଣ ପ୍ରକଳ୍ପ ପାଇଁ ୧୬୦ କୋଟି ଟଙ୍କା ଓ ଜଗନ୍ନାଥ ସଡ଼କ ପ୍ରକଳ୍ପ ପାଇଁ ୧୬୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ଘୋଷଣା କରିଥିଲେ। ବେରେଜ ପ୍ରକଳ୍ପ ଚାଷୀମାନଙ୍କ ପାଇଁ ସୁବିଧା ବଢ଼ାଇବା ସହ କୃଷି ଉତ୍ପାଦନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜଗନ୍ନାଥ ସଡ଼କ ନିର୍ମାଣ ହେଲେ ଅଞ୍ଚଳର ସଂଯୋଗ ବ୍ୟବସ୍ଥା ଆହୁରି ସରଳ ହେବ।ଏହା ସହ ଗୋଦାବରୀଶ ଆଦର୍ଶ ସ୍କୁଲ ପହଣ୍ଡି,କୁଣ୍ଡା ଖାଇ ଓ ବନ୍ଧପାଲି ଏଇ ତିନୋଟି ସ୍କୁଲ ନବକଳେବରର ବ୍ୟବସ୍ଥା କରାଯାଇଛି ବୋଲି ସେ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ସୁବିଧାକୁ ଆହୁରି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଆଶ୍ୱାସନ ଦେଇଥିଲେ।
ରାଜନୈତିକ ଉତ୍ସାହ ଓ ଉନ୍ନତିର ବୃହତ୍ ଘୋଷଣାର ସମନ୍ୱୟ ଏହି ମିଶ୍ରଣ ପର୍ବକୁ ବିଜେପୁର ରାଜନୀତିରେ ଏକ ଐତିହାସିକ ଅଧ୍ୟାୟରେ ପରିଣତ କରିଛି। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହି ଘୋଷଣାକୁ ନେଇ ଆଶା ଓ ଆଲୋଚନା ଦେଖିବାକୁ ମିଳୁଛି। ଏହି ମିଶ୍ରଣ ପର୍ବରେ ଗାଇସିଲେଟ ବ୍ଲକର ସରୋଜ ଶ୍ରୀଭୂଷଣ ସାହୁ,ଶରତ କାଲୋ, ଅର୍ପିତା ପଣ୍ଡା, ସୁଶାନ୍ତ ଦୀପଙ୍କ ସମେତ ଅନେକ ସମିତି ସଭ୍ୟ ଓ ସରପଞ୍ଚ, ବରପାଲି ଏନଏସିର ପ୍ରତାପ କେଶରୀ ସିଂ ଙ୍କ ନେତୃତ୍ବରେ ଶତାଧିକ କର୍ମୀ,ବୁଲୁ ସେଠ,ମିତା ନାୟକ ,ନିଳିମା ରାଉତ,ରିଙ୍କି ଭୋଇ ଓ ବରଗଡ଼ ଜିଲ୍ଲାର ପୂର୍ବତନ ବିଜେଡି ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ବିଜୁ ଯୁବ ଜନତା ଦଳର ନରସିଂହ (ପପୁ) ପୂଜାରୀ,ନିମେଇ ଚରଣ ସାହୁ ପୂର୍ବତନ ବିଜେପୁର ବ୍ଲକ ବିଜେଡି ସଭାପତି, ସଞ୍ଜିବ ଗଡତିଆ ପ୍ରମୁଖ ହଜାର ହଜାର ସଂଖ୍ଯାରେ ଯୋଗଦାନ କରିଥିଲେ।

0
0
0
s2sdefault