ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୨/୩: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଏବଂ କାଲିମେଳା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପର୍ତ୍ତୁଚାଷ ପାଇଁ ବେଧଡ଼କ ଗଛକଟା ଚାଲିଛି ସଂରକ୍ଷିତ ଜଙ୍ଗଲରେ ଥିବା ମୂଲ୍ୟବାନ ଗଛକୁ ସ୍ଥାନୀୟ ଲୋକେ ଚାଷ ଆଳରେ କାଟିବାରେ ଲାଗିଛନ୍ତି। ଅନ୍ୟପଟେ ନକ୍ସଲ ଭୟ ଆଳରେ ଏହି ଅଞ୍ଚଳକୁ ବନ ବିଭାଗ କର୍ମଚାରୀ ଯାଉ ନଥିବାରୁ ହେକ୍ଟର ହେକ୍ଟର ଜଙ୍ଗଲ ପଦା ହେବାରେ ଲାଗିଛି।
ଚିତ୍ରକୋଣ୍ଡା ଓ କାଲିମେଳା ବନାଞ୍ଚଳର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୧ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ବ ଜଙ୍ଗଲ ରହିଛି। ବହୁ ସ୍ଥାନରେ ସଂପୃକ୍ତ ଜଙ୍ଗଲକୁ ସ୍ଥାନୀୟ ଲୋକେ ନିଜ ଅକ୍ତିଆରକୁ ନେଇ ଜଙ୍ଗଲ ଜମିପଟ୍ଟା ହାତେଇଛନ୍ତି। ଏବେ ସେହି ଜଙ୍ଗଲକୁ ପଦା କରି ସେଠାରେ ପଡୁଚାଷ କରିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି। ନକ୍ସଲ ଭୟରେ ବନ କର୍ମଚାରୀ ଦୁର୍ଗମ ଅଞ୍ଚଳକୁ ଯାଉ ନଥିବାରୁ ସେହି ଅଞ୍ଚଳରେ ବସବାସ କରୁଥିବା ଲୋକେ ବେଧଡ଼କ ଜଙ୍ଗଲ କାଟି ପଦା କରୁଛନ୍ତି | ବିଶେଷ କରି ଚିତ୍ରକୋଣ୍ଡା ବନାଞ୍ଚଳର କୁର୍ମାନୁର ପଞ୍ଚାୟତ ଅନ୍ତର୍ଗତ ଦୟାଲତଙ୍ଗ, ନାଦୁପୁର, ଦୁଲାଗୁଣ୍ଡି, ଆଲୁରକୋଟା ଏବଂ ଗୁରାଲୁର ଗ୍ରାମ ନିକଟସ୍ଥ ଜଙ୍ଗଲ ପଦା ହେବାରେ ଲାଗିଛି। ଏକର ଏକର ଜଙ୍ଗଲକୁ ପଦା କରି ସେହି ପାହାଡ଼ିଆ ଜମିକୁ ପଡୁଚାଷ ପାଇଁ ପ୍ରସ୍ତୁତ କରାଯାଉଛି। ଏନେଇ ବନାଞ୍ଚଳ ଅଧିକାରୀ ଅବଗତ ରହିଛନ୍ତି। ତେବେ ଯେଉଁ ଅଞ୍ଚଳରେ ଜଙ୍ଗଲ ପଦା କରାଯାଇଛି, ସେହି ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ଜୀବନ ପ୍ରତି ବିପଦ ଥିବା କୁହାଯାଇଛି। କିନ୍ତୁ ଲୋକଙ୍କୁ ନିଶ୍ଚିତ ଭାବେ ସଚେତନ କରାଇ ଏଭଳି ନକରିବା ପାଇଁ ବୁଝାଇବେ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସୂଚନା ଯୋଗ୍ୟଯେ, ଚିତ୍ରକୋଣ୍ଡା ବନାଞ୍ଚଳରେ ୨୨୬୮.୨୫୧ ହେକ୍ଟର ଆରଏଫ ରହିଥିବା ବେଳେ ୧୫,୪୯୫.୯୪୫ ହେକ୍ଟର ପିଆରଏଫ, ୩୦୭୪.୮୮୯ ହେକ୍ଟର ଡିପିଏଫ ଏବଂ ୭୬,୪୧୬.୮୮୫ ହେକ୍ଟର ୟୁଆରଏଲ ଜଙ୍ଗଲ ରହିଛି। କୁର୍ମାନୁର ପଞ୍ଚାୟତର ଦୟାଲତଙ୍ଗ, ନାନ୍ଦୁପୁର, ଆଲୁରକୋଟା, ଦୁଲାଗୁଣ୍ଡି ଓ ଗରାଲୁର ଗ୍ରାମ୍ୟ ଜଙ୍ଗଲ ଭେଜେଙ୍ଗାଓ୍ବାଡ଼ା ୟୁଆରଏଲ ଅଧିନରେ ରହିଛି। ଭେଜେଙ୍ଗାୱାଡ଼ା ୟୁଆରଏଲ (ଚିହ୍ନଟ ହୋଇପାରିନଥିବା ଜଙ୍ଗଲ)ରେ ପ୍ରାୟ ୩୯,୦୯୦ ହେକ୍ଟର ଜଙ୍ଗଲ ଜମି ରହିଛି। ତେବେ ଜଙ୍ଗଲ ସୁରକ୍ଷା ଦିଗରେ ବନ ବିଭାଗ ଦୃଷ୍ଟି ନଦେଲେ ଆସନ୍ତା କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଜଙ୍ଗଲ ନଷ୍ଟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ପରିବେଶବିତମାନେ ଆଶଂକା କରିଛନ୍ତି ।








