-
ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ପ୍ରସଙ୍ଗରେ ଆଲୋଚନା ଚକ୍ର
-
ଶ୍ରଦ୍ଧା ସୁମନ ଅର୍ପଣ ସହିତ ରକ୍ତଦାନ ଶିବିର ଆୟୋଜିତ ହେବ
ଭୁବନେଶ୍ୱର, ୦୨/୦୩/୨୦୨୬: ପ୍ରତିବର୍ଷ ପରି ଏ ବର୍ଷ ମାର୍ଚ୍ଚ ୫ ତାରିଖରେ ରାଜ୍ୟବ୍ୟାପୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ବିଜୁ ଜୟନ୍ତୀ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଲେ, ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ, ବିଜୁ ଜୟନ୍ତୀ ପାଇଁ ମାର୍ଚ୍ଚ ୫ ତାରିଖରେ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ରାଜ୍ୟର ସମସ୍ତ ଜିଲ୍ଲା ସଭାପତି ଓ ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃତ୍ୱଙ୍କୁ ଜଣାଇ ଦିଆଯାଇଛି । ସେହିଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ, ଦେଶାତ୍ମବୋଧ ସଙ୍ଗୀତ ଗାନ କରିବା ସହିତ ସମୃଦ୍ଧ ଓଡିଶା ଗଠନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଭୂମିକା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଏହାଛଡା ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହେବ । ବିଜେଡି ମୁଖ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେବେ ।
ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ପ୍ରତିବର୍ଷ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ଗଠନ ହୋଇଥିବା ବିଜୁ ଜନତା ଦଳ ସବୁବେଳେ ସେବା କାର୍ଯ୍ୟକ୍ରମରେ ବିଶ୍ୱାସ ରଖେ । ବିଜେଡି ତରଫରୁ ଆୟୋଜିତ ହେବାକୁ ଥିବା ବିଜୁ ଜୟନ୍ତୀ ଅବସରରେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ କୀର୍ତ୍ତିକୁ ସ୍ମରଣ କରିବା ସହିତ ବିଜେଡିର ନେତା ଓ କର୍ମୀମାନେ ସେବାରେ ବ୍ରତୀ ହେବେ ବୋଲି ସଂକଳ୍ପ ନେବେ ।








