ହେଡଲାଇନସ୍:

ଆମେ ସନ୍ତାନଙ୍କ ସଫଳତାରେ ଶ୍ରେୟ ନେବାକୁ ଆଗ୍ରହୀ, କିନ୍ତୁ ତାଙ୍କର ବିଫଳତାରେ ଦାୟୀ ହେବାକୁ ଚାହୁଁନାହୁଁ : ଡ. ଅରୁଣ ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସେଣ୍ଟ ଜାଭିୟର ହାଇସ୍କୁଲ ଓଡ଼ଗାଁର ଦ୍ବାଦଶ ବାର୍ଷିକ ଉତ୍ସବ ପାଳିତ

ଓଡ଼ଗାଁ, ୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲର ଦ୍ବାଦଶ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାପାମାଆଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ମତ ରଖିଥିଲେ। ସେ କହିଥିଲେ, “ବାପାମାଆ ହେବା କେବଳ ସମ୍ବନ୍ଧ ନୁହେଁ, ଏକ କଳା। ଆମେ ସନ୍ତାନଙ୍କ ସଫଳତାରେ ଶ୍ରେୟ ନେବାକୁ ଆଗ୍ରହୀ, କିନ୍ତୁ ତାଙ୍କର ବିଫଳତାରେ ଦାୟୀ ହେବାକୁ ଚାହୁଁନାହୁଁ । ଏହି ମନୋଭାବର ପରିବର୍ତ୍ତନ ଆବଶ୍ୟକ।” ସେ ଉଦାହରଣ ଦେଇ କହିଥିଲେ, ଯେପରି ମଞ୍ଜି ଲଗାଇବା ବେଳେ ତାହା ଦୃଶ୍ୟମାନ ହୁଏନାହିଁ, କିନ୍ତୁ ସମୟ ସହ ତାହାର ପରିଚୟ ମିଳେ; ସେପରି ଶିଶୁଙ୍କ ଆଚରଣ ଓ ଚରିତ୍ରରୁ ବାଲ୍ୟାବସ୍ଥାରେ ମିଳିଥିବା ଶିକ୍ଷା ଓ ସଂସ୍କାର ପ୍ରକାଶ ପାଏ। ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲାପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ବିଦ୍ୟାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ୍ ମନୋଜ କୁମାର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟକ୍ଷା ନିନା ପ୍ରଧାନ ଆଶୀର୍ବଚନ ପ୍ରଦାନ କରିଥିଲେ।
ସେହିପରି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନକୁ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ସଭାପତି ଯୋଗେଶ୍ୱର ବେହେରା ଓ ସଭ୍ୟ ଖଲେଶ୍ୱର ତ୍ରିପାଠୀ ସହ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫିଦେଇ ପୁରସ୍କୃତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

0
0
0
s2sdefault