ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ଓ ପ୍ରକାଶଚନ୍ଦ୍ର ପାଢୀ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ଗଜପତିର ପ୍ରାକ୍ତନ ଦିବଙ୍ଗତ ବରିଷ୍ଠ ସାମ୍ବାଦିକ , ସମାଜସେବୀ , ସ୍ତମ୍ଭକାର , ସାହିତ୍ୟିକ , ପ୍ରକାଶ ଚନ୍ଦ୍ର ପାଢୀଙ୍କ ୯୯ ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଉତ୍କଳ ସମ୍ବିଳନୀ ଗଜପତି ଶାଖାର ସଭାପତି ଭାରତଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ଆଶାଲତା ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଆବାହକ ବିକାଶ ଚନ୍ଦ୍ର ପାଢ଼ୀ ଯୋଗ ଦେଇ ବହୁମୁଖି ପ୍ରତିଭାଧର ସ୍ବର୍ଗତ ପାଢୀଙ୍କ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ।
ଆଗାମୀ ବର୍ଷ ଏହି ଦିନ ପାଢୀଙ୍କ ଶତବାର୍ଷିକୀ ଉତ୍ସବ ମହା ଆଡମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତି ନିଆଗଲା। ଏହି ଅବସରରେ ସ୍ମରଣିକା ପ୍ରକାଶ , ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯିବ। ଆଜିର ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ସ୍ଵାଗତ ସମ୍ଭାଷଣ ଗାୟତ୍ରୀ ପଟ୍ଟନାୟକ , ପରିଚୟ ପ୍ରଦାନ ସ୍ନେହା ବେହେରା , ଧନ୍ୟବାଦ ଅର୍ପଣ ପ୍ରିୟା ପ୍ରଧାନ , ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଡିଜେନ୍ ପାଢ଼ୀ , ଅଶ୍ଵିନୀ ବ୍ରହ୍ମା , ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ , ବସନ୍ତ ପଣ୍ଡା ପ୍ରଭୃତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଡି.ମୋହନ ରାଓ , ଶରତ ଚନ୍ଦ୍ର ସାହୁ , ମୂରଲୀଧର ପରିଛା , ରବିନ୍ଦ୍ର ପଣ୍ଡା , ସାଇସୁଧା ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଶ୍ରୀମତି ଡି.ପ୍ରିୟଙ୍କା ନିର୍ଦ୍ଦେଶନା ରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ରର ଛାତ୍ରୀ ମାହାରୀ ନୃତ୍ୟ ପରିବେଷଣ କରିଥିଲେ।








