ଏମଭି–୭୯ ଡଃ ଶ୍ୟାମା ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟର ଦୟନୀୟ ଅବସ୍ଥା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୦୧/୩/୨୬- ମାଲକାନଗିରି ଜିଲ୍ଲା ଏମଭି–୭୯ ଅଞ୍ଚଳରେ ଅବସ୍ଥିତ ଡଃ ଶ୍ୟାମା ପ୍ରସାଦ ଡିଗ୍ରୀ ମହାବିଦ୍ୟାଳୟରେ ପରୀକ୍ଷା ହଲ୍ର ଅଭାବ ଯୋଗୁଁ +୩ ପ୍ରଥମ ବର୍ଷ ପରୀକ୍ଷା ଅନ୍ୟତ୍ର ଆୟୋଜିତ ହୋଇଛି। କଲେଜର ଅବସ୍ଥା ଦୁର୍ବଳ ଥିବାରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଯୁକ୍ତ ଦୁଇ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ପଡ଼ିଛି।
ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି କଲେଜଟି ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଚାଲିଆସୁଛି। ବର୍ଷା ଋତୁରେ ଶ୍ରେଣୀକକ୍ଷ ଛାତରୁ ପାଣି ଝରିବା, ପର୍ଯ୍ୟାପ୍ତ ବିଦ୍ୟୁତ୍ ସୁବିଧା ଓ ପଙ୍ଖାର ଅଭାବ ସହିତ ଭଲ ବେଞ୍ଚ–ଡେସ୍କର ଅନୁପସ୍ଥିତି ଯୋଗୁଁ ଛାତ୍ରଛାତ୍ରୀମାନେ ନିୟମିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ଅଣଦେଖା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବାର ଅଭିଯୋଗ ଉଠିଛି।
ଯୁକ୍ତ ତିନି ଅଧ୍ୟକ୍ଷା ପ୍ରଭାସିନୀ ମହାପାତ୍ର କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ହଲ୍ ବ୍ୟବସ୍ଥା କରିବା ସମ୍ଭବ ହୋଇନଥିଲା। ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଡଃ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସହଯୋଗରେ ଏବଂ ଉଭୟ ପକ୍ଷର କର୍ମଚାରୀଙ୍କ ସମନ୍ୱୟରେ ପରୀକ୍ଷା ସୁଚାରୁ ଭାବେ ସମ୍ପନ୍ନ ହୋଇଥିବା ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ନାମ ଗୋପନ ରଖି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅନ୍ୟତ୍ର ବ୍ୟବସ୍ଥା ହୋଇଥିବା ପରୀକ୍ଷା ହଲ୍ର ପରିବେଶ ତାଙ୍କ ନିଜ କଲେଜଠାରୁ ଅଧିକ ଭଲ ଥିଲା। ସେମାନଙ୍କ ମତାନୁସାରେ, କଲେଜରେ କେବଳ ଜାଗା ସଂକଟ ନୁହେଁ, ବରଂ ବର୍ଷା ଦିନରେ ପାଣି ଝରିବା, ବିଦ୍ୟୁତ୍ ଓ ପଙ୍ଖାର ଅଭାବ, ଏବଂ ଅପର୍ଯ୍ୟାପ୍ତ ବେଞ୍ଚ ଯୋଗୁଁ ପରୀକ୍ଷା ଦେବାରେ ବହୁତ ସମସ୍ୟା ସୃଷ୍ଟି ହୁଏ। ଏଥର ସୁବିଧାଜନକ ପରିବେଶରେ ପରୀକ୍ଷା ଦେଇପାରିଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି।
ଉଲ୍ଲେଖ୍ୟ, ଏହି ଯୁକ୍ତ ତିନି ଡିଗ୍ରୀ କଲେଜଟି ବର୍ତ୍ତମାନ ଜୟପୁରର ବିକ୍ରମ ଦେବ ମହାବିଦ୍ୟାଳୟ ଅଧୀନରେ ପରିଚାଳିତ ହେଉଛି। ତଥାପି କଲେଜ ଉନ୍ନତି ପ୍ରତି ଯଥେଷ୍ଟ ପଦକ୍ଷେପ ଗ୍ରହଣ ନ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। କଲେଜର ସ୍ଥାୟୀ ଭବନ ଓ ପରୀକ୍ଷା ହଲ୍ର ସୁବିଧା ଶୀଘ୍ର ସୁନିଶ୍ଚିତ କରାଯିବାକୁ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।








