କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣ ହରାଇଥିବା ୫ ପୋଲିସ କର୍ମଚାରୀଙ୍କ ପରିବାରକୁ ଘଟଣାର ୩ ଦିନ ମଧ୍ୟରେ ରେକର୍ଡ ସମୟରେ ୧.୧୦ କୋଟି ଟଙ୍କାର ବୀମା ଅର୍ଥରାଶି ପ୍ରଦାନ
ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ଥାନା ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାର ମାତ୍ର ୩ ଦିନ ମଧ୍ୟରେ ରେକର୍ଡ ସମୟରେ ୪ ଜଣ ପୋଲିସ କର୍ମଚାରୀଙ୍କ ପରିବାରକୁ ୧.୧୦ କୋଟି ଟଙ୍କା ଲେଖାଏଁ ଏବଂ ଜଣେ ହୋମଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ବୀମା ଅର୍ଥରାଶି ଉତ୍ତରାଞ୍ଚଳ ଆଇ.ଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏବଂ ଏସ.ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ (ଆଇପିଏସ)ଙ୍କ ଉପସ୍ଥିତିରେ ଏହି ସହାୟତା ଚେକ୍ ପ୍ରଦାନ କରାଯାଇଛି।
ସ୍ବର୍ଗତ ଡ୍ରିଲ ସବ୍-ଇନ୍ସପେକ୍ଟର ନିରଞ୍ଜନ କୁଜୁର, କନେଷ୍ଟବଳ କାଶୀରାମ ଭୋଇ, କନେଷ୍ଟବଳ ଦେବଦତ୍ତ ସା ଏବଂ ହାବିଲଦାର ଲିଙ୍ଗରାଜ ଧୁରୁଆଙ୍କ ପରିବାରବର୍ଗଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଜୀବନ ବୀମା ପକ୍ଷରୁ ପ୍ରତ୍ୟେକଙ୍କୁ ୧.୧୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧାଙ୍କ ପରିବାରବର୍ଗଙ୍କୁ HDFC ବ୍ୟାଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଜୀବନ ବୀମା ଅର୍ଥରାଶି ପ୍ରଦାନ କରାଯାଇଛି।
ରିସର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସଭା କାର୍ଯ୍ୟକ୍ରମକୁ ଅତିରିକ୍ତ ଏସ.ପି ସୁଶ୍ରୀ ମଧୁଶିକ୍ତା ମିଶ୍ର ପରିଚାଳନା କରିଥିଲେ। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର କୌଶଲ କିଶୋର ସିଂ, ଜେନେରାଲ ମ୍ୟାନେଜର, ଭୁବନେଶ୍ୱର ସର୍କଲ, ସଞ୍ଜୟ କୁମାର ଝା, ଡେପୁଟି ଜେନେରାଲ ମ୍ୟାନେଜର, ଆଡମିନିଷ୍ଟ୍ରେଟିଭ ଅଫିସ, ସମ୍ବଲପୁର, ଏବଂ ଭବାନୀ ଶଙ୍କର ମହାକୁଡ, ରିଜିଓନାଲ ମ୍ୟାନେଜର, ଝାରସୁଗୁଡ଼ା, HDFC ବ୍ୟାଙ୍କ ପକ୍ଷରୁ ସୂର୍ଯ୍ୟ ମହାପାତ୍ର ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ ଯେ, ଗତ ୨୨ ଫେବୃଆରୀରେ ଝାରସୁଗୁଡ଼ା ସଦର ଥାନା ସମ୍ମୁଖ ଜାତୀୟ ରାଜପଥ-୪୯ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଅକାଳ ବିୟୋଗ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ମୃତକଙ୍କ ପରିବାରକୁ ତୁରନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।









