ହେଡଲାଇନସ୍:

"ବିଡିଓ ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବା ଶିଖନ୍ତୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କଣ୍ଟାପଡ଼ା ବ୍ଲକ ବିଡିଓଙ୍କ କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ: ବିଜେଡି

  • ଉନ୍ନୟନମୂଳକ କାର୍ଯ୍ୟ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ପରାମର୍ଶରେ କରନ୍ତୁ


ଭୁୁବନେଶ୍ୱର, ୨୫/୦୨/୨୦୨୬: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବିଡିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରି ଦୀର୍ଘ ୮ ଦିନ ହେଲା ବ୍ଲକ ସମ୍ମୁଖରେ ସର୍ବଦଳୀୟ ଅହୋରାତ୍ର ଗଣଧାରଣା ଜାରି ରହିଛି । ବିଜୁ ଜନତା ଦଳର ସଭାପତିଙ୍କ ନିଦେ୍ର୍ଦଶରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଧାରଣା ସ୍ଥଳରେ ପହଞ୍ଚିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ମୁଖପାତ୍ର ନାରାୟଣ ଜେନା, ରୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗଦେଇ ସମର୍ଥନ ଜଣାଇଥିଲେ ।
ଧାରଣା ସ୍ଥଳରେ ୧୪ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ଭାରତୀୟ ଜନତା ପାର୍ଟିର ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟା କ୍ରିଷ୍ଣାରାଣୀ ବେହେରା, ବିଜେପି ସମର୍ଥିତ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଜିନା ଭୋଇ, ଉପାଧ୍ୟକ୍ଷ ଜିତେନ୍ଦ୍ର ବରାଳ ଓ ବିଜେଡିର ଜିଲ୍ଲାପରିଷଦ ସଦସ୍ୟ ପୀୟୂଷ ମିଶ୍ର, ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ସହିତ ପ୍ରଦୀପ୍ତ ମୋହନ କାନୁନ୍ଗୋ, ନ୍ୟାୟବ୍ରତ ରାଉତ ଏହି ଧାରଣାରେ ଦୀର୍ଘ ୮ ଦିନ ହେଲା ବସି ରହିଛନ୍ତି । ବିଡିଓ ମହୋଦୟା ପଞ୍ଚାୟତ ସମିତି ଅଧୀନରେ ଯାଉଥିବା ସମସ୍ତ ଉନ୍ନୟନ ମୂଳକ କାମକୁ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନ ପଚାରି ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି, ଏପରିକି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ମଧ୍ୟ ଅଣଦେଖା କରୁଛନ୍ତି । ପଞ୍ଚାୟତ ସମିତିରେ ଯେଉଁ ସଂକଳ୍ପ ପାରିତ ହେଉଛି, ତାକୁ ମଧ୍ୟ ବିଡିଓ ମହୋଦୟା ଅଣଦେଖା କରୁଛନ୍ତି । ଯାହାଦ୍ୱାରା କଣ୍ଟାପଡ଼ା ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା, ଅନ୍ତ୍ୟୋଦୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ବିଡିଓ ମହୋଦୟା ଜନପ୍ରତିନିଧି ମାନଙ୍କୁ ଅଣଦେଖା କରି ମନମୁଖୀ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଡ଼ ଲେନିନ ମହାନ୍ତି କହିଥିଲେ, ଜିଲ୍ଲା ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଲୋକପ୍ରତିନିଧି ମାନଙ୍କ ସହିତ ଆଲୋଚନା କରନ୍ତୁ । ଏଥିସହିତ କଣ୍ଟାପଡ଼ା ବ୍ଲକରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ଡ଼ ମହାନ୍ତି ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଯଦି ଏଥିରେ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ବିଜୁ ଜନତା ଦଳ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ତୀବ୍ରତର କରିବ ।

0
0
0
s2sdefault