ହେଡଲାଇନସ୍:

ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ବନଖଣ୍ଡର ବ୍ୟାପକ ପ୍ରସ୍ତୁତି; ୬୪ ସ୍କ୍ୱାଡ୍ ଓ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଜାରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ନିଆଁ ମୁକ୍ତ ଗ୍ରାମକୁ ମିଳିବ ପୁରସ୍କାର, ବନ ବିଭାଗ ପକ୍ଷରୁ ସଚେତନତା ରଥ ଶୁଭାରମ୍ଭ

  • ୪୫୬ କିମି ଫାୟାର ଲାଇନ୍ ନିର୍ମାଣ, ସୂଚନା ପାଇଁ ହେଲ୍ପଲାଇନ ନମ୍ବର ୯୮୬୧୭୩୫୯୯୫

ଝାରସୁଗୁଡ଼ା : ଆଗାମୀ ଗ୍ରୀଷ୍ମ ଋତୁରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଜଙ୍ଗଲ ନିଆଁର ଭୟାବହତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବନଖଣ୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନୁ ଅଶୋକ ଭଟ୍ଟ, ଆଇ. ଏଫ୍. ଏସ, ଡି.ଏଫ.ଓ, ଜଙ୍ଗଲ ସୁରକ୍ଷା ଓ ଅଗ୍ନି ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଜଙ୍ଗଲ ନିଆଁ କେବଳ ପ୍ରାକୃତିକ ସମ୍ପଦ ନଷ୍ଟ କରେ ନାହିଁ, ବରଂ ବନ୍ୟଜନ୍ତୁଙ୍କ ଜୀବନ ବିପନ୍ନ କରିବା ସହ ବାୟୁ ପ୍ରଦୂଷଣ ଓ ଜନବସତି ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହାର ପ୍ରତିକାର ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

ଜଙ୍ଗଲ ନିଆଁକୁ ପ୍ରତିହତ କରିବା ପାଇଁ ବନଖଣ୍ଡ ଅଧୀନରେ ୪୫୬ RKM ଫାୟାର ଲାଇନ୍ ନିର୍ମାଣ କରାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ତୁରନ୍ତ ସହାୟତା ପାଇଁ ୬୪ଟି ସ୍ୱତନ୍ତ୍ର ଫାୟାର ସ୍କ୍ୱାଡ୍ ମୁତୟନ କରାଯାଇଛି। ଏହି ଟିମ୍‌କୁ ୯୧ଟି ଅଗ୍ନିନିର୍ବାପକ ଯନ୍ତ୍ର ଓ ୨୭ଟି ନୂତନ ଲିଫ୍ ବ୍ଲୋୟର୍ ଯୋଗାଇ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ରେଞ୍ଜରେ ଗୋଟିଏ ଲେଖାଏଁ ମୋଟ ୫ଟି ଗାଡ଼ି ନିୟୋଜିତ ହୋଇଛି। ଏଥିସହ ବନଖଣ୍ଡ ସ୍ତରରେ ୯୮୬୧୭୩୫୯୯୫ ନମ୍ବର ବିଶିଷ୍ଟ ଏକ ୨୪-ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରୁଛି।

ବନ ବିଭାଗର ବିଶ୍ଳେଷଣ ଅନୁଯାୟୀ, ଜଙ୍ଗଲ ତଳ ସଫା କରି ମହୁଲ ଫୁଲ ସଂଗ୍ରହ କରିବା ପାଇଁ ନିଆଁ ଲଗାଇବା, କୃଷି ଜମିର ଅବଶିଷ୍ଟାଂଶ ପୋଡ଼ିବା ଏବଂ କେନ୍ଦୁପତ୍ରର ଭଲ ଅମଳ ପାଇଁ ନିଆଁ ଲଗାଇବା ହେଉଛି ଅଗ୍ନିକାଣ୍ଡର ମୁଖ୍ୟ କାରଣ। ଏହାବ୍ୟତୀତ ରାସ୍ତା ଦେଇ ଯାଉଥିବା ପଥିକଙ୍କ ଦ୍ୱାରା ଜଳୁଥିବା ବିଡ଼ି, ସିଗାରେଟ୍ ବା ଦିଆସିଲି କାଠି ଫିଙ୍ଗିବା ଯୋଗୁଁ ଅନେକ ସମୟରେ ଭୟଙ୍କର ନିଆଁ ଲାଗିଥାଏ। ଗତ ୩ ବର୍ଷର ପରିସଂଖ୍ୟାନ ଅନୁଯାୟୀ, ୨୦୨୫ ମସିହାରେ ସର୍ବାଧିକ ୧୫୨ଟି ଜଙ୍ଗଲ ଭିତର ଫାୟାର ପଏଣ୍ଟ ଚିହ୍ନଟ ହୋଇଥିଲା। ସଚେତନତା ପାଇଁ 'ମୋବାଇଲ୍ ରଥ' ଓ ପ୍ରୋତ୍ସାହନ ବ୍ୟବସ୍ଥା ଜନସଚେତନତା ସୃଷ୍ଟି କରିବା ପାଇଁ ବନଖଣ୍ଡ ପକ୍ଷରୁ ଏଲଇଡି ସ୍କ୍ରିନ୍ ସଜ୍ଜିତ ଏକ ସଚେତନତା ଗାଡ଼ି ସମ୍ବେଦନଶୀଳ ଗ୍ରାମଗୁଡ଼ିକରେ ପରିଭ୍ରମଣ କରୁଛି। ଗ୍ରାମ ସ୍ତରରେ ନାଟକ, କ୍ରିକେଟ୍ ମ୍ୟାଚ୍ ଓ ପ୍ରଚାରପତ୍ର ମାଧ୍ୟମରେ ଲୋକଙ୍କୁ ଶିକ୍ଷା ଦିଆଯାଉଛି। ବିଶେଷ କରି ଯେଉଁ ବନ ସୁରକ୍ଷା ସମିତି ବା ଗ୍ରାମରେ ଜଙ୍ଗଲ ନିଆଁ ଘଟଣା ଘଟିବ ନାହିଁ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା ରଖାଯାଇଛି। ଜଙ୍ଗଲର ସୁରକ୍ଷା ପାଇଁ କୌଣସି ସ୍ଥାନରେ ନିଆଁ ଦେଖିଲେ ତୁରନ୍ତ ବିଭାଗକୁ ଜଣାଇବାକୁ ବନ ଅଧିକାରୀମାନେ ନିବେଦନ କରିଛନ୍ତି।

0
0
0
s2sdefault