ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୬: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ସୁରକ୍ଷା ସମ୍ଭାବ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ତାହାକୁ ରୋକିବା ସହିତ ସୁରକ୍ଷିତ ଓ ନିର୍ବିଘ୍ନ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିବା ସହିତ ଅସାଧାରଣ ସତର୍କତା, କର୍ତ୍ତବ୍ୟନିଷ୍ଠା ଏବଂ ସମୟୋପଯୋଗୀ ପଦକ୍ଷେପ ପାଇଁ ଚାରି ଜଣ ରେଳ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ।
ସମ୍ମାନିତ କର୍ମଚାରୀମାନେ ହେଲେ:
* ଶ୍ରୀ ଶଶି ପ୍ରକାଶ, ଷ୍ଟେସନ ମାଷ୍ଟର, ଆରଙ୍ଗ ମହାନଦୀ, ସମ୍ବଲପୁର ମଣ୍ଡଳ
* ଶ୍ରୀ ମହେଶ୍ୱର ନାୟକ, ଷ୍ଟେସନ ସୁପରିଟେଣ୍ଡେଣ୍ଟ, ଗୁରୁଡିଝାଟିଆ, ଖୋର୍ଦ୍ଧା ରୋଡ୍ ଡିଭିଜନ
* ଶ୍ରୀ ରାଜେଶ କୁମାର ସାହୁ, ଟ୍ରାକ୍ ମେଣ୍ଟେନର୍-III, ରତଙ୍ଗ, ଖୋର୍ଦ୍ଧା ରୋଡ୍ ଡିଭିଜନ
* ଶ୍ରୀ ଭଗବାନ, ଟ୍ରାକ୍ ମେଣ୍ଟେନର୍-II, ମାଲିଗୁଡା , ୱାଲ୍ଟେୟାର ଡିଭିଜନ
ସେମାନଙ୍କର ସମୟୋଚିତ ପ୍ରତିକ୍ରିୟା ଏବଂ ସକ୍ରିୟ କାର୍ଯ୍ୟ ପରିଚାଳନା ସୁରକ୍ଷାକୁ ସୁନିଶ୍ଚିତ କରିଥିଲା, ସମ୍ଭାବ୍ୟ ବାଧାବିଘ୍ନକୁ ପ୍ରତିରୋଧ କରିଥିଲା ଏବଂ ଭାରତୀୟ ରେଳବାଇର ଉଚ୍ଚ ସୁରକ୍ଷା ମାନକକୁ ବଜାୟ ରଖିଥିଲା।
୨୫ ଜାନୁଆରୀ ୨୦୨୬ରେ, ଶ୍ରୀ ଶଶି ପ୍ରକାଶ ଏକ ମାଲବାହୀ ଟ୍ରେନ୍ର ୱାଗନ୍ ଚକରୁ ଧୂଆଁ ଚିହ୍ନଟ କରିଥିଲେ ଏବଂ ତୁରନ୍ତ ଟ୍ରେନ୍କୁ ଅଟକାଇଥିଲେ, ଯାହା ଫଳରେ ଏକ ଗରମ ଆକ୍ସଲ୍ ଚିହ୍ନଟ ହୋଇଥିଲା ଏବଂ ତ୍ରୁଟିପୂର୍ଣ୍ଣ ୱାଗନ୍କୁ ଅଲଗା କରାଯାଇଥିଲା।
୧୯ ଜାନୁଆରୀ ୨୦୨୬ ତାରିଖରେ, ଶ୍ରୀ ମହେଶ୍ୱର ନାୟକ ଏକ ଚାଲୁଥିବା ମାଲବାହୀ ଟ୍ରେନରେ ହଟ୍ ଏକ୍ସେଲ୍ ଦେଖିଥିଲେ ଏବଂ ସମୟୋଚିତ ସମନ୍ୱୟ କରି ଟ୍ରେନକୁ ସୁରକ୍ଷିତ ଭାବେ ଅଟକାଇବାକୁ ସହଯୋଗ କରିଥିଲେ, ଯାହା ଦ୍ୱାରା ସମ୍ଭାବ୍ୟ ବିପଦକୁ ରୋକାଯାଇଥିଲା।
ସେହି ରାତିରେ, ଶ୍ରୀ ରାଜେଶ କୁମାର ସାହୁ ପାଟ୍ରୋଲିଂ ଡ୍ୟୁଟିରେ ଥିବା ସମୟରେ ଏସଇଜେ (SEJ ) ଟଙ୍ଗ ରେଲରେ ଏକ ଫ୍ରାକ୍ଚର ଚିହ୍ନଟ କରିଥିଲେ ଏବଂ ଟ୍ରାକ୍କୁ ସୁରକ୍ଷା ଦେବା ପରେ ସୀମିତ ବେଗରେ ଟ୍ରେନଗୁଡ଼ିକର ନିରାପଦ ପଥ ନିଶ୍ଚିତ କରିଥିଲେ।
୧୮ ଜାନୁଆରୀ ୨୦୨୬ରେ, ଶ୍ରୀ ଭଗବାନ ମାଲିଗୁଡା ୟାର୍ଡରେ ଟ୍ରାକ୍ରେ ଏକ ୱେଲ୍ଡ ବିଫଳତା ଚିହ୍ନଟ କରିଥିଲେ ଏବଂ ତୁରନ୍ତ ଟ୍ରେନ୍ ପରିଚାଳନାକୁ ସୁରକ୍ଷିତ ରଖିବା ପାଇଁ ଜରୁରୀ ଅବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଯାହା ଫଳରେ ଏକ ବହୁତ ବଡ ସମ୍ଭାବ୍ୟ ବିପଦକୁ ଏଡାଯାଇପାରିଥିଲା ।
ଉକ୍ତ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ କର୍ମଚାରୀ ମାନଙ୍କର ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ | ବିଶେଷକରି ରେଳ କର୍ମଚାରୀମାନେ ପ୍ରାୟତଃ କଷ୍ଟକର ପରିସ୍ଥିତିରେ କାମ କରନ୍ତି | ରେଳ ସେବାର ନିରାପତ୍ତା ଏବଂ ବିଶ୍ୱସନୀୟତା ବଜାୟ ରଖିବାରେ ଟ୍ରାକ୍, ସିଗନାଲ ଏବଂ OHE ମେଣ୍ଟେନର୍ସ, ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଷ୍ଟେସନ ମାଷ୍ଟର ମାନଙ୍କ ସହ ସମସ୍ତ ଆଗଧାଡ଼ିର କର୍ମଚାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ |
ପୂର୍ବତଟ ରେଳପଥ ସୁରକ୍ଷା ଏବଂ କାର୍ଯ୍ୟ ଦକ୍ଷତାର ଉତ୍କର୍ଷତା ଏବଂ ଜନସାଧାରଣଙ୍କ ସେବାରେ ରେଳ କର୍ମଚାରୀଙ୍କ ଉତ୍ସାର୍ଗିକୃତ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ।








