ଝାରସୁଗୁଡ଼ା, ୨୪ ଫେବୃଆରୀ: ଝାରସୁଗୁଡ଼ା ଜିଲ୍ଲାରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ସ୍ଥାନୀୟ ରାଜନୈତିକ ମଞ୍ଚରେ ଚିନ୍ତା ବୃଦ୍ଧି ପାଇଛି। ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଦିପାଳୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ସଡ଼କ ସୁରକ୍ଷା ପାଇଁ ତୁରନ୍ତ ଏବଂ କଠୋର ପଦକ୍ଷେପ ନେବାକୁ ଦାବି କରିଛି।
ଦଳର ଅଭିଯୋଗ ଅନୁସାରେ, ଜିଲ୍ଲାର ରାଜପଥ ଓ ଆଭ୍ୟନ୍ତରୀଣ ସଡ଼କଗୁଡ଼ିକ ଦିନକୁ ଦିନ ଅସୁରକ୍ଷିତ ହେଉଛି। ବିଶେଷକରି ଭାରୀ ଶିଳ୍ପ ଯାନବାହାନ ଚଳାଚଳ ଯୋଗୁଁ ମାରାତ୍ମକ ଦୁର୍ଘଟଣା ବୃଦ୍ଧି ପାଇଛି, ଯାହାରେ ସାଧାରଣ ଲୋକ ଓ ଯାତ୍ରୀମାନଙ୍କ ଜୀବନ ସଙ୍କଟାପନ୍ନ ହେଉଛି।
ଗତ ଫେବୃଆରୀ ୨୨, ୨୦୨୬ ତାରିଖରେ NH-49 ନିକଟରେ ଘଟିଥିବା ଏକ ଭୟାବହ ଦୁର୍ଘଟଣାରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ଉଦ୍ଧୃତ କରି ବିଜେଡି ଏହାକୁ ରାସ୍ତାରେ ଚାଲିଥିବା ଅବ୍ୟବସ୍ଥାର ଜ୍ୱଳନ୍ତ ଉଦାହରଣ ବୋଲି କହିଛି। ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏହି ଘଟଣା ପରେ ସଡ଼କ ସୁରକ୍ଷା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
ଝାରସୁଗୁଡ଼ା ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ପରିଚିତ। ଏଠାରେ କୋଇଲା ଖଣି ଓ ଶତାଧିକ ଶିଳ୍ପ ସଂସ୍ଥା ଚାଲୁ ଥିବାରୁ ସରକାରଙ୍କୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ରାଜସ୍ୱ ମିଳୁଛି। ତଥାପି, ସୁରକ୍ଷିତ ଓ ସୁଗମ ପରିବହନ ପାଇଁ ପ୍ରୟାପ୍ତ ସଡ଼କ ଭିତ୍ତିଭୂମିର ଅଭାବ ଥିବା ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି।
ଦାବିପତ୍ରରେ କୋଇଲା ଖଣି, ଶିଳ୍ପ ଗୃହ ଓ ସହଯୋଗୀ ଶିଳ୍ପ ଦ୍ୱାରା ବ୍ୟବହୃତ ଭାରୀ ଯାନବାହାନ ପାଇଁ ଏକ ପୃଥକ ବାଇପାସ୍ ସଡ଼କ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦାଖଲ କରିବାକୁ ମଧ୍ୟ ଦାବି କରାଯାଇଛି। ସେଥିପାଇଁ ଟ୍ରାଫିକ ନିୟନ୍ତ୍ରଣ କଠୋର କରିବା, ସିସିଟିଭି ବ୍ୟବସ୍ଥା ବୃଦ୍ଧି କରିବା ଓ ଅବୈଧ ପାର୍କିଂ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ମଧ୍ୟ ଦଳ ଦାବି କରିଛି।
ଏହି ଅବସରରେ ଝାରସୁଗୁଡ଼ା ପୌରାଧ୍ୟକ୍ଷା ରାନୀ ହାତୀ, ବିଜେଡି ଜିଲ୍ଲା ସଭାପତି ହରିଶ ଗଣତ୍ରା, ବରିଷ୍ଠ ନେତା ରବି ସିଂ, ରଘୁମଣି ପଟେଲ, ସନ୍ଦିପ ଅବସ୍ତି, ପ୍ରତାପ ନନ୍ଦ, ମଦନ ହାତୀ, ରବିନ ପାଣ୍ଡେ, ଆଲୋକ ତ୍ରିପାଠୀ, ତୁଳସୀ ଦାସ ଓ ପୱନ୍ ସିଂ ଯାଦବ ସହ ଅନେକ କାଉନସିଲର ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।








