ହେଡଲାଇନସ୍:

ମଣିଷ-ହାତୀ ସଂଘର୍ଷ ହ୍ରାସ କରିବାକୁ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବ୍ରହ୍ମପୁର, ଫେବ୍ରୁଆରୀ- ଟିପିଏସ୍ଓଡିଏଲ୍ ପକ୍ଷରୁ ମଣିଷ-ହାତୀ ସଂଘର୍ଷ ହ୍ରାସ କରିବା ପାଇଁ ଗଜ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରାଯାଇଛି । ସ୍ବେଚ୍ଛାସେବୀ ସଂଗଠନ ସ୍ନେହା ସହାୟତାରେ ଘୁମୁସର ଉତ୍ତର ବନଖଣ୍ଡରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକ୍ଷମ କରାଯାଇଛି । ହାତୀଙ୍କୁ ବିଦ୍ୟୁତ ଆଘାତରୁ ଦୂରେଇ ରଖିବା, ଏ ସଂକ୍ରାନ୍ତୀୟ ସଚେତନତା ବୃଦ୍ଧି କରିବା, ଓ ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ଲକ୍ଷ୍ୟରେ ଏପରି ସମୟ ଉପଯୋଗୀ ପଦକ୍ଷେପ ନିଆଯାଇଛି । ପ୍ରକଳ୍ପ ମାଧ୍ୟମରେ ଜୈବ ବିବିଧତା ସଂରକ୍ଷଣ ଓ ଦାୟିତ୍ୱବାନ ସଂପ୍ରଦାୟ ଗଠନ କ୍ଷେତ୍ରରେ ଟିପିଏସ୍ଓଡିଏଲ ନିଜର ପ୍ରତିବଦ୍ଧତାକୁ ଦୃଢ଼ କରିଛି ।


ଘୁମୁସର ଉତ୍ତର ବନଖଣ୍ଡ ଅଧୀନରେ ମାଝଗଡ଼ା, ତାରାସିଂ, ଗାଲେରୀ ଓ ଜଗନ୍ନାଥପ୍ରସାଦ ଜଙ୍ଗଲ ରେଞ୍ଜରେ ପ୍ରାଥମିକ ଭାବେ ଗଜ ସଂରକ୍ଷଣ କାର୍ଯ୍ୟ କରିବ । ଏହି ସବୁ ଅଞ୍ଚଳରେ ହାତୀଙ୍କ ଗତିବିଧି ଦେଖିବାକୁ ମିଳିଥାଏ । ଏଣୁ ହାତୀଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ପ୍ରତିକ୍ରିୟାଶୀଳ ସୁରକ୍ଷା ପ୍ରଣାଳୀ ସାଙ୍ଗକୁ ଦୁର୍ଘଟଣା ରୋକିବା ନିମନ୍ତେ ହାଇବ୍ରିଡ୍ ମଡେଲ୍ ବିକାଶ କରାଯାଇଛି ।


ବିଦ୍ୟୁତକୁ ନେଇ ବିପଦ ଥିବା ୧୧୪ଟି ସ୍ଥାନ ଚିହ୍ନଟ କରାଯାଇଛି । ସଂପୃକ୍ତ ସ୍ଥାନଗୁଡ଼ିକରେ କମ୍ପାନୀ ପକ୍ଷରୁ ବିଜୁଳି ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି । ସେହିଭଳି ବନ ବିଭାଗ ନିକଟରେ ଥିବା ଗ୍ରାମଗୁଡ଼ିକରେ କାନ୍ଥ ଚିତ୍ରକଳା, ପଥପ୍ରାନ୍ତ ନାଟକ, ଗ୍ରାମସ୍ତରୀୟ ସଭା, ତଥା ଗୋଷ୍ଠୀ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି । ବନ୍ୟଜନ୍ତୁ ଓ ମନୁଷ୍ୟ କିଭଳି ସହାବସ୍ଥାନ କରିପାରିବେ ସେନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।


ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ଭାବ୍ୟ ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ ଓ ସୁରକ୍ଷିତ କରିବା ସହ ପ୍ରାୟ ୧୯୦ କିଲୋମିଟର ଖୋଲା ତାରକୁ ଆବଦ୍ଧ ବିଦ୍ୟୁତ ତାରରେ ପରିବର୍ତ୍ତିତ କରିଛି । ସେହିଭଳି ଖୁଣ୍ଟ ଗୁଡ଼ିକ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ନିମନ୍ତେ ଏକ ହଜାରରୁ ଅଧିକ ମଧ୍ୟବର୍ତ୍ତୀ ଖୁଣ୍ଟ ସ୍ଥାପନ କରାଯାଇଛି ।


ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ – ଜୈବ ବିବିଧତା ସଂରକ୍ଷଣ ଓ ଗୋଷ୍ଠୀ କଲ୍ୟାଣ ନିମନ୍ତେ ଗଜ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଜଙ୍ଗଲ ବିଭାଗ ଓ ସ୍ଥାନୀୟ ସଂପ୍ରଦାୟ ସହଭାଗିତାରେ କାର୍ଯ୍ୟ କରି ଆମେ ମଣିଷ-ହାତୀ ସଂଘର୍ଷକୁ ହ୍ରାସ କରିବା ଦିଗରେ ଉଦ୍ୟମ କରୁଛୁ । ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ସହ ମଣିଷ ଓ ବନ୍ୟଜନ୍ତୁଙ୍କ ସହ ଅବସ୍ଥାନ ନିମନ୍ତେ ଆମେ ପ୍ରତିବଦ୍ଧ ଅଟୁ।


ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି ଯେ ଟିପିଏସ୍ଓଡିଏଲ୍ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ଅଟେ । କମ୍ପାନୀର ସହଭାଗିତାରେ ଆମେ ପ୍ରକଳ୍ପର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରିବୁ । ଯାହା ଫଳରେ ସଂଘର୍ଷ ଏଡ଼ାଇ ହେବ।


ଟିପିଏସ୍ଓଡିଏଲର କର୍ପୋରେଟ୍ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଡିସକମର ସିଏସ୍ଆର୍ ମୁଖ୍ୟ ପ୍ରଦୀପ ଘୋଷାଲ, ଭଞ୍ଜନଗର ସର୍କଲ ମୁଖ୍ୟ ଅଭିଜିତ ପାଢ଼ୀ, ଟିପିଏସ୍ଓଡିଏଲର ସିଏସଆରର ମୁଖ୍ୟ ଦିଲ୍ଲୀପ କୁମାର ସାହୁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏବଂ ସ୍ନେହ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

0
0
0
s2sdefault