ହେଡଲାଇନସ୍:

ନିର୍ମାଣ ବିଭାଗ ପକ୍ଷରୁ ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆଧୁନିକ ଜ୍ଞାନକୌଶଳ ଓ ଗୁଣବତ୍ତା ଉପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱ

  • ଇଂଜିନିୟରମାନେ ବିକାଶର କର୍ଣ୍ଣଧାର : ମନ୍ତ୍ରୀ ରବି ନାରାୟଣ ନାଏକ

ଭୁବନେଶ୍ୱର ୧୮/୦୨/୨୦୨୬:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବର୍ତ୍ତମାନ ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ୨୦୩୬ ସୁଦ୍ଧା ଆମେ ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଥିବାବେଳେ କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ ଉନ୍ନତ ଭିତ୍ତିଭୂମି ବିନା ବିକଶିତ ରାଜ୍ୟ ତଥା ବିକଶିତ ଦେଶ ଗଠନର ସ୍ୱପ୍ନ ପୂରଣ କେବେ ବି ସମ୍ଭବ ନୁହେଁ । ତେଣୁ ଆଧୁନିକ ଜ୍ଞାନକୌଶଳର ଭରପୂର ଉପଯୋଗ ଏବଂ ନିର୍ମାଣର ଗୁଣବତ୍ତାକୁ ଗୁରୁତ୍ୱ ଦେଇ ଆମେ ଏହି ଲକ୍ଷ୍ୟ ପୂରଣ କରିପାରିବା ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ନିର୍ମାଣ ବିଭାଗ ପକ୍ଷରୁ ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସରକାର ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣର ଲକ୍ଷ୍ୟ ରଖିଛନ୍ତି । ଏଣୁ ବଡ଼ ବଡ଼ ସହରରେ ଆପଣା ଯାଉଥିବା ଶ୍ରେଷ୍ଠ ନିର୍ମାଣ ପଦ୍ଧତିକୁ ଓଡ଼ିଶାରେ କାର୍ଯ୍ୟକ୍ଷମ କରିବା ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ଫଳରେ ଆଗାମୀ ଦିନରେ ବିଭିନ୍ନ ରାସ୍ତରେ ଭିଡ଼ ନିୟନ୍ତ୍ରଣ କରିବା ସହ ରାସ୍ତାଗୁଡ଼ିକର ନିୟମିତ ମରାମତି କରାଯାଇ ଖାଲଖମା ମୁକ୍ତ ହୋଇପାରିବ । ଆଜିର ଯୁଗ ହେଉଛି ଆଧୁନିକ ଜ୍ଞାନକୌଶଳ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗ । ଉନ୍ନତ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଇଂଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଗଭୀର ଅଧ୍ୟୟନ ସହ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରୁ ଜ୍ଞାନ ଆହରଣ କରି ନବନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନେ ରାଜ୍ୟର ବିକାଶ ଯାତ୍ରାରେ ସହଭାଗୀ ହୋଇପାରିବେ । ନବନିଯୁକ୍ତ ଇଂଜିନିୟରମାନେ ସାଧୁତା ଓ ସମୟାନୁବର୍ତ୍ତିତାର ସହ କର୍ତ୍ତବ୍ୟ ନିର୍ବାହ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ କହିଲେ ଯେ ରାଜ୍ୟର ପ୍ରକୃତ ବିକାଶ ସାଧନ କରିବାକୁ ହେଲେ ଗ୍ରାମାଞ୍ଚଳରୁ ଆରମ୍ଭ କରି ବଡ଼ ବଡ଼ ସହର ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ । ରାସ୍ତାଘାଟ ଓ ସେତୁ ନିର୍ମାଣ କ୍ଷେତ୍ରରେ ନୂଆ କୌଶଳ ଓ ଜ୍ଞାନକୁ ଭରପୂର ଉପଯୋଗ କରିବାକୁ ପଡ଼ିବ । ବର୍ତ୍ତମାନ ନୂଆକରି ନିଯୁକ୍ତି ପାଇଥିବା ଯନ୍ତ୍ରୀଙ୍କ ନିକଟରେ ଅନେକ ଦକ୍ଷତା ରହିଛି । ତେଣୁ ଏହି ତାଲିମ କାର୍ଯ୍ୟକ୍ରମରୁ ନିଜ ଦକ୍ଷତାକୁ ଅଧିକ ଶାଣିତ କରିବା ସହ ଇଂଜିନିୟରମାନେ ରାଜ୍ୟ ବିକାଶରେ କର୍ଣ୍ଣଧାର ସାଜିବେ ବୋଲି ସେ କହିଥିଲେ ।

ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ସମାରୋହରେ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ସତ୍ୟବ୍ରତ ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।

0
0
0
s2sdefault