ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା
ଭୁବନେଶ୍ୱର, ତା-୧୮.୦୨. ୨୦୨୬: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗତକାଲି ମଙ୍ଗଳବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ନିଜ ନିଜ ବିଭାଗୀୟ କାର୍ଯ୍ୟ ସଂପର୍କିତ ଆଲୋଚନା ସମୟରେ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।
ବୈଠକରେ ବିଭିନ୍ନ ବର୍ଷରେ ମଞ୍ଜୁର କରାଯାଇଥିବା ବିଧାୟକ ସ୍ଥାନୀୟ ଆଂଚଳିକ ବିକାଶ ପାଣ୍ଠି (ଏମ୍ଏଲଏଲାଡ୍ସ), ସାଂସଦ ଆଂଚଳିକ ବିକାଶ ପାଣ୍ଠି (ଏମ୍ପିଲାଡ୍ସ), “ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା” ଆଦି ଯୋଜନା ଓ କାର୍ଯ୍ୟକ୍ରମରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତା ପାଇଁ ହୋଇଥିବା ଅର୍ଥ ମଂଜୁର ଏବଂ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା । ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ସମୟ ସୀମା ମଧ୍ୟରେ ଶେଷ କରିବା, କାମ ଆରମ୍ଭ ହୋଇନଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଆରମ୍ଭ କରିବା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଲଘୁ ଖଣିଜ ପଦାର୍ଥର ପରିଚାଳନାରେ ରହୁଥିବା ସମସ୍ୟା ଓ ସମାଧାନ ସଂପର୍କରେ ଉନ୍ନୟନ କମିଶନର ତଥା ଖଣି ବିଭାଗ ଅତିରିକ୍ତମୁଖ୍ୟ ଶାସନ ସଚିବ ଶ୍ରୀ ସିଂ ଆଲୋଚନା କରିଥିଲେ । ଜିଲ୍ଲାସ୍ତରରେ ଖଣିଜ ସଂପଦର ଚିହ୍ନଟ ଓ ପରିଚାଳନା ପାଇଁ ଜିଲ୍ଲା ସର୍ବେକ୍ଷଣ ବିବରଣୀ(ଡିଏସଆର) ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଯେଉଁ ଜିଲ୍ଲାଗୁଡ଼ିକ ପର୍ଯ୍ୟନ୍ତ ଏହା ପ୍ରଦାନ କରି ନାହାନ୍ତି, ଶୀଘ୍ର ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବିଭିନ୍ନ ଜିଲ୍ଲାରେ ବିମାନବନ୍ଦର, ହେଲିପୋର୍ଟ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ଓ ପ୍ରତିପୂରକ ବନୀକରଣ ବ୍ୟବସ୍ଥା ସଂପର୍କରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରାଯାଇଥିଲା । ଏ ସଂପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ୍ ରାଜପୁତ ଯୋଗଦେଇ ଆଲୋଚନା କରିଥିଲେ । ରାଜ୍ୟରେ ଯେଉଁ ଜିଲ୍ଲାର ଅବକାରୀ ବିଭାଗର ଜିଲ୍ଲା କାର୍ଯ୍ୟାଳୟ, ଅବକାରୀ ଷ୍ଟେସନ, ଜିଲ୍ଲା ମୋବାଇଲ ୟୁନିଟ ଓ ରେଞ୍ଜ କାର୍ଯ୍ୟାଳୟ ଆଦି ପାଇଁ ସୁବିଧା ନାହିଁ, ସେଥିପାଇଁ ଅବକାରୀ ବିଭାଗକୁ ଉପଯୁକ୍ତ ସ୍ଥାନ ଚିହ୍ନଟ ସଂପର୍କରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥିତ ରହି ଏ ସଂପର୍କରେ ତଥ୍ୟ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍ ଏନ୍ ଏବଂ ବିଭାଗର ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜଙ୍କ ଉପସ୍ଥିତିରେ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ନିର୍ମାଣାଧିନ ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ସଦ୍ୟତନ ସ୍ଥିତି, ଆନ୍ତଃ ବିଭାଗୀୟ ସମନ୍ୱୟରେ ରହୁଥିବା ସମସ୍ୟାର ସମାଧାନ କରି ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଥିଲା । ଏଥିନେଇ ରହୁଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସାରିବା, ପ୍ରକଳ୍ପଗୁଡ଼ିକ ପାଇଁ ବିଦ୍ୟୁତ ଶକ୍ତି ଯୋଗାଣ ସୁବିଧା କରି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ପରାମର୍ଶ ଦିଆଯାଇଥିଲା । ରାଜ୍ୟରେ ଏକକ ଗ୍ରାମ ପାନୀୟ ଜଳ ପ୍ରକଳ୍ପ ଓ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ମାର୍ଚ୍ଚ ୨୦୨୬ ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଯୋଜନା ଓ ସଂଯୋଜନ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।








