ଆଦିବାସୀ ମାନ୍ୟତାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସଂପ୍ରଦାୟ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି | କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ବିଧାୟକ ନରସିଂହ ମାଡ଼କାମି, ପୂର୍ବତନ ସାଂସଦ ମୁରଲିଧର ଜେନା,ସମାଜର ସମ୍ପାଦକ ପି ଶ୍ରୀଗୁରୁ, ଆଦିବାସୀ ସଂଘ ସଭାପତି ବାଲରାଜୁ ଗେମେଲ, କାର୍ଯ୍ୟକାରୀ ସଭାପତି କୋଟେ ପତୁର, ଜିଲ୍ଲା ଭାଜପା ସଭାପତି ଅଶୋକ ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ | ବର୍ଷ ବର୍ଷ ଧରି କୋଣ୍ଡାରେଡି ସମାଜ ଆଦିବାସୀ ମାନ୍ୟତା ପାଇଁ ସଂଘର୍ଷ କରିଆସୁଥିବା ବେଳେ ବିଗତ ବର୍ଷ ଫେବ୍ରୁଆରି ୧୪ ତାରିଖରେ ସରକାର ଆଦିବାସୀ ମାନ୍ୟତା ଦେଇଥିଲେ । ଏହି ଉଦ୍ଦେଶ୍ୟରେ ଆଜି ବର୍ଷ ପୂର୍ତ୍ତି ଉତ୍ସବ ପାଳନ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମୁଖ୍ୟଅତିଥି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ଏହି ସମ୍ପ୍ରଦାୟକୁ ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ଯୋଜନା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଜିଲ୍ଲାର ଦୁର୍ଗମ ଏବଂ ଉପାନ୍ତ ଅଞ୍ଚଳ ଭାବେ ପପୁଲୁର ଏବଂ କୁର୍ମାନୁର ଗଣତି ହେଉଥିବା ବେଳେ ଏହା ନକ୍ସଲଙ୍କ ଗଡ଼ ଥିଲା | ବର୍ତ୍ତମାନ ଅଞ୍ଚଳର ବିକାଶ ହେଉଥିବା ସହ ଏହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିବା ପରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ଅଞ୍ଚଳରେ ଥିବା ଅନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ କୋଣ୍ଡାରେଡି ସମାଜର ସଭାଗୃହକୁ ଅତିଥିମାନେ ଉଦଘାଟନ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |








