ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜେପି ନେତୃତ୍ଵାଧିନ କେନ୍ଦ୍ର ସରକାରର ଜନ ବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ବିରୁଦ୍ଧରେ ଶ୍ରମିକ ଓ କୃଷକ ସଂଗଠନମାନଙ୍କ ତରଫରୁ ଦିଆଯାଇଥିବା ଦିନିକିଆ ସର୍ବଭାରତୀୟ ସାଧାରଣ ଧର୍ମଘଟ ଆଜି ଗଜପତି ଜିଲ୍ଲାରେ ବନ୍ଦରେ ପରିଣତ ହୋଇଯାଇଛି । ଆନ୍ଦୋଳକାରୀଙ୍କ ଡାକରାରେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହାନ ଓ ଦୋକାନ ବଜାର ବନ୍ଦ ହେବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର କର୍ପୋରେଟଙ୍କ ସ୍ଵାର୍ଥରେ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ରହିଥିବା ୨୯ ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ କୋଡ଼୍ ଆଣିଛନ୍ତି । ଏହା ସହ ବିଜେପିର ରାଜ୍ୟ ସରକାର ମଧ୍ୟ ଗତ ବିଧାନସଭାରେ ସଂଶୋଧନ ଆଣି ପୂର୍ବରୁ ଥିବା ଆଠ ଘଣ୍ଟିଆ ଶ୍ରମ ଦିବସକୁ ଦଶ ଘଣ୍ଟିଆ କରିବା ସହ ମହିଳାଙ୍କୁ ରାତ୍ରିକାଳୀନ ଡ୍ୟୁଟି କରିବାକୁ ଅନୁମତି ଦେଇଛନ୍ତି । ଶ୍ରମିକ ଓ କର୍ମଚାରୀଙ୍କ ଅଧିକାରକୁ ଛିନ୍ନ କରୁଥିବା ଉପରୋକ୍ତ ଶ୍ରମକୋଡକୁ ବାତିଲ କରିବା , ଗ୍ରାମାଞ୍ଚଳର ଶ୍ରମିକମାନଙ୍କୁ ଶହେ ଦିନ କାମର ଅଧିକାର ଦେଉଥିବା ମନରେଗା ଆଇନ ବଦଳରେ ଆଣିଥିବା ବି ଭି ଜି ରାମଜି ଆଇନକୁ ପ୍ରତ୍ୟାହାର କରିବା ତଥା ପ୍ରସ୍ତାବିତ ଜନ ବିରୋଧୀ ବିଦ୍ୟୁତ ବିଲ୍ ତଥା କୃଷି ଓ କୃଷକ ବିରୋଧୀ ବିହନ ବିଲର ପ୍ରତ୍ୟାହାର ଦାବିରେ ଆଜି ସର୍ବ ଭାରତୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ସର୍ବ ଭାରତୀୟ ସାଧାରଣ ଧର୍ମଘଟର ଡାକରା ଦିଆଯାଇଥିଲା।
ଆଜି ପୂର୍ବାହ୍ନରେ ଜିଲ୍ଲାର ଶ୍ରମିକ ଓ କୄଷକ ସଂଗଠନମାନଙ୍କ ଶତାଧିକ କର୍ମୀ ଓ ସମର୍ଥକମାନେ ପାରଳାଖେମୁଣ୍ଡି ପୁରୁଣା କୋର୍ଟ ଛକ ଠାରୁ ପଟୁଆରରେ ବାହାରି ଫାଇର ଷ୍ଟେସନ ଛକ ଠାରେ ଜମା ହୋଇ ପ୍ରତିବାଦ ସଭା କରିଥିଲେ । ଏହି କାର୍ଯ୍ୟକ୍ରମ ଏଆଇକେଏମଏସର ଜିଲ୍ଲା ସଂପାଦକ କେଦାର ଶବର , କାଡୁକା ଶବର , ଆଇଏଫଟିୟୁର କାରୁଗା ଶବର , ଏଆଇକେଏସର ଦଣ୍ଡପାଣି ରଇତ , ଏମ୍ ବାଙ୍ଗାରି ଏଆଇଟିୟୁସିର ନରସିଂହ ମାଳବିଷୋୟୀ , ରଞ୍ଜନ ମହାପାତ୍ର , ମହେନ୍ଦ୍ର ତନାୟା ନିର୍ମାଣ ଶ୍ରମିକ ସଂଗଠନ ଇସ୍ରାଏଲ ମାଳୀ , ଆଇଏନଟିୟୁସିର ଜଶ୍ମିନ୍ ଟିୟୁସିସିର ପି ମୁରଲି ପ୍ରମୁଖ ନେତୃତ୍ଵ ନେଇ ବନ୍ଦ ପାଳନରେ ଯୋଗ ଦେଇଥିଲେ । ଆଜିର ଧର୍ମଘଟ ଓ ବନ୍ଦକୁ ସମର୍ଥନ ଜଣାଇଥିବାରୁ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ଶ୍ରମିକ ସଂଗଠନମାନଙ୍କ ତରଫରୁ ଧନ୍ୟବାଦ ଜଣାଯାଇଛି ।
ରାଜ୍ୟ
ଗଜପତି ଜିଲ୍ଲାରେ ସର୍ବ ଭାରତୀୟ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ
- Hits: 30








