ବେଲଗୁଣ୍ଠା/ -(ଶିବରାମ ଚୌଧୁରୀ )--ଗଞ୍ଜାମ ଜିଲ୍ଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ରଙ୍ଗେ ହାତ ଗିରଫ କରିଛି। ଜଣେ ବାଲି ବୋଝେଇ ଟ୍ରାକ୍ଟର ମାଲିକଙ୍କ ଠାରୁ ଗାଡ଼ି ଛାଡ଼ିବା ପାଇଁ ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି ।
ସୂଚନା ଅନୁଯାୟୀ, ଗତ ଫେବୃଆରୀ ୫ ତାରିଖରେ ଶ୍ରୀ ସେଠୀ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଗାଡ଼ିଟିକୁ ଅଟକ ରଖିବା ନେଇ ସେ କୌଣସି ସରକାରୀ ରେକର୍ଡ ବା ଦସ୍ତାବିଜ୍ ପ୍ରସ୍ତୁତ କରିନଥିଲେ। ଟ୍ରାକ୍ଟର ମାଲିକ ଗାଡ଼ିର ସମସ୍ତ ବୈଧ କାଗଜପତ୍ର ଦେଖାଇବା ସତ୍ତ୍ୱେ, ଅତିରିକ୍ତ ତହସିଲଦାର ଗାଡ଼ି ଛାଡ଼ିବା ପାଇଁ ଅର୍ଥ ଦାବି କରିଥିଲେ। ଶେଷରେ ମାଲିକ ଜଣକ ଏନେଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।ଆଜି ଯେତେବେଳେ ଅଭିଯୋଗକାରୀ ଅତିରିକ୍ତ ତହସିଲଦାରଙ୍କୁ ଭେଟିଥିଲେ, ଶ୍ରୀ ସେଠୀ ତାଙ୍କୁ ୩୦,୦୦୦ ଟଙ୍କା ସରକାରୀ ଜୋରିମାନା ଦେବାକୁ କହିବା ସହ ନିଜ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତଦନ୍ତ ସମୟରେ ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏଥିସହ ସରକାରୀ ରସିଦ୍ ବା ଚାଲାଣରେ ଥିବା ଅନିୟମିତତାର ମଧ୍ୟ ଯାଞ୍ଚ କରାଯାଉଛି ।
ଶ୍ରୀ ସେଠୀଙ୍କ ଗିରଫଦାରୀ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ସହ ଜଡ଼ିତ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଧ୍ୟ ତଦନ୍ତ କରାଯାଉଛି। ଏହି ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୦୧/୨୦୨୬, ଧାରା 7 P.C Act, 2018 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
ରାଜ୍ୟ
ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର କବିରାଜ ସେଠୀ
- Hits: 9








