ସହର ହିତାଧିକାରୀଙ୍କୁ ଦ୍ବାରଦେଶରେ ସେବା ପ୍ରଦାନ
ଓଡ଼ଗାଁ,୧୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ଓଡ଼ଗାଁ ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ସରକାରୀ ଯୋଜନା ସହିତ ଯୋଡ଼ିବା ନିମନ୍ତେ ଏନ୍ଏସି ତରଫରୁ ସହଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁବାର ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।ଏନ୍ଏସିର ପ୍ରତି ୱାର୍ଡ ମାନଙ୍କରେ ନିଯୁକ୍ତ ଫ୍ରଣ୍ଟ ଲାଇନ ଫାସିଲେଟର ମାନଙ୍କ ଦ୍ଵାରା ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ବନ୍ଦାପନା କରିବା ସହିତ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ପତାକା ହଲାଇ ସଙ୍କେତ ଦେବା ପରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ରଥ ୧୦ ନମ୍ବର ୱାର୍ଡକୁ ଗଡ଼ିଥିଲା।ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ), ଗରିମା, ପାନୀୟଜଳ ଯୋଗାଣ,ରାସନ କାର୍ଡ, ଆୟୁଷ୍ମାନ୍ ଭାରତ, ଦିବ୍ୟାଙ୍ଗ ପ୍ରମାଣପତ୍ର,
ମଧୁବାବୁ ପେନ୍ସନ୍ ଯୋଜନା,ଶ୍ରମିକ କାର୍ଡ, ଇ-ଶ୍ରମ କାର୍ଡ, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା, ସୁଭଦ୍ରା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏହିପରି ମୋଟ ୧୩ ଯୋଜନାରେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ନିମନ୍ତେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଫ୍ରଣ୍ଟ ଲାଇନ ଫାସିଲେଟରଙ୍କ ସହିତ ଯୋଗ୍ୟ ହିତାଧିକାରୀ ମାନେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରରେ ପହଞ୍ଚି ବିଭିନ୍ନ ସହାୟତା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ।୧୫ ଦିନ ମଧ୍ୟରେ ସମସ୍ତ ୧୫ ୱାର୍ଡରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ପହଞ୍ଚି ହିତାଧିକାରୀଙ୍କୁ ସେମାନଙ୍କ ଦ୍ୱାର ଦେଶରେ ସେବା ପ୍ରଦାନ କରିବ।ସୂଚନା ଥାଉକି ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଉଦ୍ୟମରେ ଓଡ଼ଗାଁ ନୂଆକରି ସହରୀକରଣ ବ୍ୟବସ୍ଥା ମଧ୍ୟରେ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ବେଳେ ସ୍ବଚ୍ଛ ଓଡ଼ଗାଁ, ସୁସ୍ଥ ଓଡ଼ଗାଁ,ସୁନ୍ଦର ଓଡ଼ଗାଁ ଗଠନ ସହିତ ସରକାରଙ୍କ ସମସ୍ତ ସୁବିଧା ସହରବାସୀଙ୍କୁ ଯୋଗାଇଦେବା ନିମନ୍ତେ ତାଙ୍କର ନିରନ୍ତର ପ୍ରୟାସ ଖୁବଶୀଘ୍ର ଓଡ଼ଗାଁର ରୂପରେଖ ବଦଳାଇବାରେ ସହାୟକ ହେବ। ଆଜିର କାର୍ଯ୍ୟକ୍ରମକୁ ଜିଲ୍ଲା ମିଶନ ପରିଚାଳକ ଏମ୍ ଶୁଭମ୍ ପରିଚାଳନା କରିଥିବା ବେଳେ ନୀଳମାଧବ ମିଶ୍ର ଓ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।








