କେନ୍ଦୁଝର,ତା୧୨/୨- ଜୁଆଙ୍ଗ ଜାତିର ଶିଶୁ ଓ କିଶୋରୀମାନଙ୍କ ମଧ୍ୟରେ ପୂଷ୍ଟି ସୁରକ୍ଷା ବୃଦ୍ଧି କରିବା ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ରେନବୋ ଡାଏଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗୋନାସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୮୨ ଜଣ କିଶୋରୀଙ୍କୁ ନେଇ କ୍ୟାମ୍ପେନ୍ ଅଂଶ ଭାବେ “ଥ୍ରି ମସ୍କେଟିଅର୍ସ ସ୍ୱିଟ୍ ପୋଟେଟୋ (3M-SP)” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ଆଇସିଏଆର-ସିଟିସିଆରଆଇ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ମୁଖ୍ୟ ଡ଼ା. ଏମ୍. ନେଦୁନଚେଜିୟନ, କେନ୍ଦୁଝର ଉଦ୍ୟାନକୃଷି ସହାୟକ ନିର୍ଦ୍ଦେଶକ ଜି.ସି. ମେହେର, ପ୍ରଧାନ ବୈଜ୍ଞାନିକ ଏବଂ ପ୍ରଧାନ ଅନୁସନ୍ଧାନକାରୀ ଡ଼ା. ପି. ସେଥୁରାମନ୍ ଶିବକୁମାର, ବିଦ୍ୟାଳୟର ପ୍ରଧାନଶିକ୍ଷକ ତୀର୍ଥାନନ୍ଦ ସେଠୀ ସହ ଆଇସିଏଆର-ସିଟିସିଆରଆଇ ଏବଂ କିଟ୍, ଭୁବନେଶ୍ୱରର ଅଧିକାରୀଗଣ କାର୍ଯ୍ୟକ୍ରମରେ ଉପସ୍ଥିଟିରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ଡିଏମଏଫ କେନ୍ଦୁଝରର ବରିଷ୍ଠ ପ୍ରକଳ୍ପ ପ୍ରବନ୍ଧକ ନମିତା ଦାସ। କଳିଙ୍ଗ ଇନଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସର ଡାକ୍ତରମାନେ ଶିଶୁମାନଙ୍କୁ ଅପପୁଷ୍ଟି, ରକ୍ତହୀନତା ତଥା ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବକୁ ଖାଦ୍ୟ ଆଧାରିତ ପଦକ୍ଷେପ ଦ୍ୱାରା କିପରି ଦୂର କରାଯାଇପାରିବ ସେ ବିଷୟରେ ସଚେତନ କରିଥିଲେ। ଏଥିରେ ପ୍ରତ୍ୟେକ ଛାତ୍ରୀଙ୍କୁ ଧଳା, କମଳା ଏବଂ ଗଦାଯୁକ୍ତ କନ୍ଦମୂଳର ତିନିଟି ଚାରା ଦିଆଯାଇଥିଲା, ଯାହାକୁ ବିଦ୍ୟାଳୟର ପୋଷଣ ଉଦ୍ୟାନରେ ରୋପଣ କରାଯାଇଛି। ଛାତ୍ରୀମାନେ ୧୦୦ ଦିନ ପର୍ଯ୍ୟନ୍ତ ଏହି ଫସଲକୁ ଚାଷ କରିବେ ଏବଂ ପରେ ଯେଉଁ ଛାତ୍ରୀମାନଙ୍କ ଚାରା ଉତ୍କୃଷ୍ଟ ଫଳ ଦେଇଥିବ ସେମାନଙ୍କୁ ସମ୍ମାନିତ କରାଯିବ। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଏହି ପଦକ୍ଷେପ ଜୁଆଙ୍ଗ ଜାତିର ଶିଶୁମାନଙ୍କ ମଧ୍ୟରେ ପୂଷ୍ଟି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ।
ରାଜ୍ୟ
ଜୁଆଙ୍ଗ କିଶୋରୀଙ୍କ ଅପପୁଷ୍ଟି ଦୂର ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ରେନବୋ ଡାଏଟ୍ କାର୍ଯ୍ୟକ୍ରମ
- Hits: 6








