ହେଡଲାଇନସ୍:

“ସମ୍ବଲପୁରୀ ଧନୁଯାତ୍ରା-୨୦୨୬” ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସମ୍ବଲପୁରୀ ଭାଷାରେ ଧନୁଯାତ୍ରାର ଆୟୋଜନ ଆମ ସଂସ୍କୃତିର ଯଥାର୍ଥ ପ୍ରତିଫଳନ - ଧର୍ମେନ୍ଦ୍ର ପ୍ରଧାନ

  •  ଧନୁଯାତ୍ରା ଅଧର୍ମ ଉପରେ ଧର୍ମର ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଜୀବନ୍ତ ପ୍ରତୀକ

  •  ସମ୍ବଲପୁରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଆମେ ସମସ୍ତେ ନିରନ୍ତର ପ୍ରୟାସ କରିବା

ସମ୍ବଲପୁର, ୨୨ ଜାନୁଆରୀ ୨୦୨୬ - କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଠାରେ ଆୟୋଜିତ ଭବ୍ୟ “ସମ୍ବଲପୁରୀ ଧନୁଯାତ୍ରା-୨୦୨୬” ମହୋତ୍ସବରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ସ୍ଥାନୀୟ ଲୋକସଂସ୍କୃତିର ପ୍ରଶଂସା କରିବା ସହ ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବଲପୁରୀ ଧନୁଯାତ୍ରା କେବଳ ଏକ ମଞ୍ଚ ନାଟକ ନୁହେଁ, ବରଂ ଏହା ଅଧର୍ମ ଉପରେ ଧର୍ମର ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏକ ଜୀବନ୍ତ ପ୍ରତୀକ । ମା’ ସମଲେଇଙ୍କ ପବିତ୍ର ପୀଠରେ ଆୟୋଜିତ ଏହି ମହୋତ୍ସବ ଆମର ସମୃଦ୍ଧ ପରମ୍ପରା ଏବଂ ପୌରାଣିକ ମୂଲ୍ୟବୋଧକୁ ଉଜ୍ଜୀବିତ କରିବାର ଏକ ଅନନ୍ୟ ପମ୍ପରା ଅଟେ । କୃଷ୍ଣଲୀଳା ଓ ଲୋକସଂସ୍କୃତି ଭିତ୍ତିକ ଏହି ମହାନ ଯାତ୍ରାର ପରିଚୟ ଏହି ମାଟିର ଇତିହାସ ସହ ଓତପ୍ରୋତ ଭାବେ ଜଡ଼ିତ । ଏଠାର ବିଶ୍ୱପ୍ରସିଦ୍ଧ ଶୀତଳଷଷ୍ଠୀ ପରି ଏବେ ବିଭିନ୍ନ ସ୍ଥାନରେ ଧନୁଯାତ୍ରା ପାଳନ ହେଉଥିବା ବେଳେ, ମାତୃଭାଷା ସମ୍ବଲପୁରୀରେ ଏହାର ଆୟୋଜନ ଲୋକସଭ୍ୟତା ଓ ସଂସ୍କୃତିକୁ ପ୍ରକୃତ ଅର୍ଥରେ ପ୍ରତିଫଳିତ କରୁଛି । ଏହି ଭବ୍ୟ ଆୟୋଜନ ପାଇଁ ସେ ‘ସମ୍ବଲପୁରୀ ଧନୁଯାତ୍ରା କମିଟି’ର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି ।

ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ଜାରି ରହିଛି । ଏହି କ୍ରମରେ ସମ୍ବଲପୁର ମ୍ୟୁନିସିପାଲଟି ସ୍ୱଚ୍ଛତା ପାଇଁ ଦାୟିତ୍ୱ ନେଇଥିଲେ ହେଁ, କେବଳ ପ୍ରଶାସନିକ ପ୍ରଚେଷ୍ଟା ଯଥେଷ୍ଟ ନୁହେଁ । ଏଥିରେ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସମ୍ପୃକ୍ତି ଏକାନ୍ତ ଆବଶ୍ୟକ । ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା “କେଉଁ ସହର କେତେ ସୁନ୍ଦର” ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ସହରବାସୀ ଏବେଠାରୁ ସଜାଗ ହେବା ଦରକାର । ସମ୍ବଲପୁରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ି ତୋଳିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

0
0
0
s2sdefault