ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଇଂରାଜି ବିଷୟର ପାଠ୍ୟକ୍ରମ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ହୋଇନଥିବା ଅଭିଯୋଗକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗ, ସମ୍ବଲପୁର ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ lଅଭିଯୋଗ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତ ଦଳ ବିଜେପୁର ମହାବିଦ୍ୟାଳୟକୁ ଆସି ସ୍ଥଳ ପରିଦର୍ଶନ କରିଥିଲେ। ତଦନ୍ତ ସମୟରେ ଶିକ୍ଷାଦାନ, କ୍ଲାସ୍ ରେକର୍ଡ, ସିଲାବସ୍ କଭରେଜ୍ ଓ ଅଧ୍ୟାପକଙ୍କ ଦାୟିତ୍ୱକୁ ଯାଞ୍ଚ କରାଯାଇଥିଲା। ତଦନ୍ତରେ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଥିବା କଥା ଆଞ୍ଚଳିକ ନିର୍ଦେଶକ ସ୍ପଷ୍ଟ କରିଛନ୍ତି।ତଦନ୍ତ ରିପୋର୍ଟ ଆଧାରରେ ଏହି ଘଟଣାକୁ ଗମ୍ଭୀର ଅବହେଳା ବୋଲି ଗ୍ରହଣ କରାଯାଇଛି। ପାଠ୍ୟକ୍ରମ ସମୟରେ ସମ୍ପୂର୍ଣ୍ଣ ନହେବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସିଧାସଳଖ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷ ପ୍ରଦୀପ ମିଶ୍ର ଓ ଇଂରାଜି ବିଭାଗର ସମ୍ପୃକ୍ତ ଅଧ୍ୟାପକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।ନୋଟିସରେ ପ୍ରଶ୍ନ କରାଯାଇଛି ଯେ, ପରୀକ୍ଷା ପୂର୍ବରୁ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ନେଇ କାହିଁକି ଗମ୍ଭୀରତା ପ୍ରଦର୍ଶନ କରାଯାଇନଥିଲା। ଏହି ଅବହେଳା ପାଇଁ କିଏ ଦାୟୀ, ସେଥିପାଇଁ ସ୍ପଷ୍ଟ ଉତ୍ତର ମାଗାଯାଇଛି।ଏନେଇ କଲେଜ ଅଧ୍ୟକ୍ଷ ପ୍ରଦୀପ ମିଶ୍ରଙ୍କୁ ପଚାରିବାରୁ ସେ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାକୁ ମନାକଲେ। ଅଧ୍ୟକ୍ଷଙ୍କ ଏହି ନିରବତା ଘଟଣାକୁ ଆହୁରି ସନ୍ଦେହଜନକ କରିଦେଇଛି।ଘଟଣାକୁ ନେଇ ସ୍ଥାନୀୟ ଶିକ୍ଷାଜଗତ ଓ ସାଧାରଣ ମହଲରେ ଆଲୋଚନା ବିଷୟ ହୋଇଛି। “କାହାର ଛତ୍ରଛାୟା ତଳେ ଏପରି ଅବହେଳା ହେଉଛି?” ଓ “ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହେଉଥିବା ଏହି ଖେଳର ଦାୟି କିଏ ନେବ?” ଏଭଳି ପ୍ରଶ୍ନ ଏବେ ଉଠୁଛି।ଏନେଇ ସମ୍ବଲପୁର ରିଜୁନାଲ ହେଡ୍ ମୁରଲୀ ମାଝୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଘଟଣାର ଗଭୀର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ଓ ତଦନ୍ତ ରିପୋର୍ଟ ଗଭର୍ନିଂ ବଡି କମିଟିକୁ ପ୍ରଦାନ କରାଯାଇଛି। “ମିନିମମ୍ ଗୋଟେ ମାସ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ସାମ୍ନାକୁ ଆସିବ,” ବୋଲି ସେ କହିଛନ୍ତି l
ରାଜ୍ୟ
ବିଜେପୁର ମହାବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡିଲା: ଅଧ୍ୟକ୍ଷ ପ୍ରଦୀପ ମିଶ୍ର ଓ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ
- Hits: 221








