ପୁରୀ, ୨୦/୧ (ଅନିମେଶ ପଟ୍ଟନାୟକ): ଏକ ସମୃଦ୍ଧ ଓ ଶକ୍ତିଶାଳୀ ଭାରତ ଗଠନ ପାଇଁ “ଏକ ରାଷ୍ଟ୍ର, ଏକ ଧର୍ମ, ଏକ ସଂସ୍କୃତି” ହିଁ ମହା ମନ୍ତ୍ର ବୋଲି ପୁରୀ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ମତ ପ୍ରକାଶ ପାଇଛି।
ଶ୍ରୀ ହରପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ ଶ୍ରୀ ଅରବିନ୍ଦ ଶତପଥୀଙ୍କ ଆହ୍ୱାନରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପରମହଂସ ପ୍ରଜ୍ଞାନାନନ୍ଦ ଗିରି, ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ (ପୁରୀ) ଯୋଗଦେଇ କହିଥିଲେ ଯେ, ହିନ୍ଦୁ ଧର୍ମ ହଜାର ହଜାର ବର୍ଷ ପୁରୁଣା ଏବଂ ଏହାର ସଂସ୍କୃତି ଓ ପରମ୍ପରା ଭାରତବର୍ଷକୁ ସଦା ସଚେତନ ଓ ଉଦ୍ବୁଦ୍ଧ କରିଆସିଛି।
“ଆମେ ହିନ୍ଦୁ, ଭାରତ ଆମର ମାତା”—ଏହି ଆହ୍ୱାନ ହିଁ ଭାରତକୁ ବିଶ୍ୱରେ ପରିଚିତ ଓ ବିକଶିତ କରିଛି ବୋଲି ସେ କହିଥିଲେ। ବିଦେଶୀ ସଂସ୍କୃତି ସହ ତୁଳନା କରି ସେ କହିଥିଲେ ଯେ, ହିନ୍ଦୁ ସଂସ୍କୃତିରେ ଗ୍ରନ୍ଥ, ବୃକ୍ଷ, ନଦୀ, ପୃଥିବୀ, ଗୋବଂଶ ଓ ଭାରତ ଦେଶ ସବୁ ଆମ ପାଇଁ ମାତା ସମାନ। ସମସ୍ତ ଧର୍ମର ସୁରକ୍ଷା ସହ ହିନ୍ଦୁ ଧର୍ମର ସମୃଦ୍ଧି ଓ ବିକାଶ ହେଲେ ଭାରତ ପୁନର୍ବାର ବିଶ୍ୱଗୁରୁ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଶଙ୍କରାନନ୍ଦ ମଠର ସ୍ୱାମୀ ଶାଶ୍ୱତାନନ୍ଦ ସରସ୍ୱତୀ କହିଥିଲେ ଯେ, ଆମ ଜନ୍ମଭୂମି ହିଁ ଆମର ପ୍ରକୃତ ମାତା, ଯିଏ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନ୍ନ, ବସ୍ତ୍ର, ପାଣି ଓ ପବନ ଦେଇ ଆମର ପାଳନ କରୁଛନ୍ତି। ଜଗନ୍ନାଥ ସଂସ୍କୃତିକୁ ସେ ଏକ ମହାନ ସଂସ୍କୃତି ଭାବେ ଅଭିହିତ କରିଥିଲେ।
ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ପଞ୍ଚତତ୍ତ୍ୱ (ମାଟି, ଜଳ, ଅଗ୍ନି, ପବନ ଓ ଆକାଶ) ହିଁ ପରିବେଶର ମୂଳ ଆଧାର ବୋଲି କହି, ଏହାର ଦୂଷଣ ଦ୍ୱାରା ପରିବେଶ ସଙ୍କଟ ସୃଷ୍ଟି ହେଉଥିବା ଉଲ୍ଲେଖ କରିଥିଲେ। ମୁକ୍ତିମଣ୍ଡପ ପଣ୍ଡିତ ସଭାର ପଣ୍ଡିତ ଶ୍ରୀ ବିଚିତ୍ରାନନ୍ଦ ମିଶ୍ର କହିଥିଲେ ଯେ, ହିନ୍ଦୁ ସଂସ୍କୃତି ବିଶ୍ୱର ସର୍ବପ୍ରାଚୀନ ଓ ସର୍ବୋତ୍ତମ ସଂସ୍କୃତି ଥିବାରୁ ଆମେ ହିନ୍ଦୁ ବୋଲି ଗର୍ବ ବୋଧ କରୁ।
ଭାରତର ସାମଗ୍ରିକ ବିକାଶ ପାଇଁ ଆଦର୍ଶ ପରିବାର ବ୍ୟବସ୍ଥା, ପରିବେଶ ସୁରକ୍ଷା, ସ୍ୱ ସଂସ୍କୃତି ଓ ସ୍ୱ ଭାଷାର ସମ୍ମାନ, ସ୍ୱଦେଶୀ ବସ୍ତୁ ବ୍ୟବହାର, ଜାତିଭେଦ ବିହୀନ ସମାଜ ଗଠନ ଓ ନାଗରିକ କର୍ତ୍ତବ୍ୟ ପାଳନ ଏହି ପଞ୍ଚ ପରିବର୍ତ୍ତନ ହିନ୍ଦୁ ସମାଜକୁ ଶକ୍ତିଶାଳୀ କରିବ ବୋଲି ବକ୍ତାମାନେ ମତ ଦେଇଥିଲେ।
ଏହି ସମ୍ମିଳନୀରେ ଏକ ହଜାରରୁ ଅଧିକ ସ୍ଥାନୀୟ ଅଧିବାସୀ, ମହିଳା ଓ ଯୁବଗୋଷ୍ଠୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ଅରବିନ୍ଦ ଶତପଥୀ, ସୁକାନ୍ତ ଦଳାଇ, ଅଂଶୁମାନ ରାଏ, ଦେବେନ୍ଦ୍ର ଅଗ୍ରୱାଲ, ମାନସ ଲେଙ୍କା, ପ୍ରଦ୍ୟୁମ୍ନ ମଲ୍ଲିକ ସହ ଶ୍ରୀରାମ ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକର୍ତ୍ତାମାନେ ପରିଚାଳନା କରିଥିଲେ।








