ଦୁଇ ବିଧାୟକଙ୍କୁ ବିଜେଡିରୁ ନିଲମ୍ବନ ପ୍ରସଙ୍ଗ
-
ବିଜୁ ବାବୁଙ୍କ ସହ ପିତା ଯାହା କରିଥିଲେ ପୁଅ ଆଜି ସେହି ରାସ୍ତାରେ
-
ପାଟକୁରାରେ ଚାଲିଥିଲା ବାପା ପୁଅ ଶାସନ
-
ନିର୍ବାଚନମଣ୍ଡଳୀର ପୁରୁଖା ଦଳୀୟ କର୍ମୀଙ୍କୁ ସଂପୂର୍ଣ୍ଣ ଅଣଦେଖା କରୁଥିଲେ
ଭୁବନେଶ୍ୱର, ୧୮/୦୧/୨୦୨୬: ବିଜୁ ଜନତା ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର କରିବା ସହ କର୍ମୀଙ୍କ ପ୍ରତି ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଶ୍ୱାସଘାତକତା କରିଛନ୍ତି । ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ପାଟକୁରାର ଯୁବ ସଂଗଠକ ଶ୍ରୀ ଅମରେଶ ପତ୍ରୀ କହିଛନ୍ତି ଯେ, ଦଳକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ରର ଅଂଶ ଭାବେ ଉଭୟ ନିଲମ୍ବିତ ବିଧାୟକ କାର୍ଯ୍ୟକରି ଆସୁଥିଲେ ।
ଶ୍ରୀ ପତ୍ରୀ ଆହୁରି କହିଛନ୍ତି ଯେ, ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁଯୋଗ ପାଇ ବିଧାୟକ ହେବା ପରଠାରୁ ପାଟକୁରାର ଦଳୀୟ କର୍ମୀଙ୍କୁ ଅଣଦେଖା କରି ନିଜସ୍ୱ ସଂଗଠନ ଜରିଆରେ ଅରବିନ୍ଦ କାର୍ଯ୍ୟ କରିଆସୁଥିଲେ । ୨୫ ବର୍ଷ ଧରି ଯେଉଁ ଦଳୀୟ କର୍ମୀମାନେ ପାଟକୁରାରେ ବିଜେଡି ସଂଗଠନକୁ ସଶକ୍ତ କରି ରଖିଥିଲେ, ସେହି ପୁରୁଖା ନେତା ଓ କର୍ମୀଙ୍କୁ ଜାଣିଶୁଣି ଉପେକ୍ଷା କରି ନିଜର ଚାଟୁକାରମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ସେମାନଙ୍କ ଜରିଆରେ ବିଧାୟକ ପାଣ୍ଠି ବିନିଯୋଗ କରୁଥିଲେ । ଗତ ସାଧାରଣ ନିର୍ବାଚନରେ ଟିକେଟ ପାଇଲା ପରେ ଦଳର ସାଂସଦ ପ୍ରାର୍ଥୀଙ୍କୁ ଅସହଯୋଗ କରିଥିଲେ । ପାଟକୁରାରେ ବାପା ପୁଅ ଦଳ ଚାଲିଥିଲା । ବାପାଙ୍କ ଇସାରାରେ ସବୁ କାମ କରୁଥିଲେ ଅରବିନ୍ଦ । ଦଳ ବିରୋଧରେ କଣ କଣ ଷଡଯନ୍ତ୍ର କରିଥିଲେ, ତାହା ନିଜକୁ ନିଜେ ପଚାରନ୍ତୁ ଅରବିନ୍ଦ ।
ଅତୀତରେ ସ୍ୱର୍ଗତ ବିଜୁ ବାବୁଙ୍କ ବିରୋଧରେ ଅରବିନ୍ଦ ମହାପାତ୍ରଙ୍କ ପିତା ଯେଭଳି ଷଡଯନ୍ତ୍ର କରିଥିଲେ, ଆଜି ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିରୋଧରେ ସେହିଭଳି ବିଶ୍ୱାସଘାତକତା କରିବା ଯୋଜନାରେ ସାମିଲ ହୋଇ ବିଜେଡିକୁ ଦୁର୍ବଳ କରିବା ଅପଚେଷ୍ଟରେ ଲିପ୍ତ ଥିଲେ । ସଠିକ ସମୟରେ ଏହା ମାନ୍ୟବର ସଭାପତିଙ୍କ ଦୃଷ୍ଟିକୁ ଆସିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କିଛି ମାସ ଧରି ଷଡଯନ୍ତ୍ରର ସୁରାକ ବିଜେଡି ସଭାପତି ପାଇଥିଲେ ମଧ୍ୟ, ତ୍ରୁଟି ସୁଧାରିବା ପାଇଁ ଉଭୟଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ ସୁଧୁରିବା ବଦଳରେ ଉଭୟ ଅରବିନ୍ଦ ଓ ସନାତନ ଦଳ ବିରୋଧୀ କାର୍ଯ୍ୟ ଜାରି ରଖିଥିଲେ ।
ସେହିପରି ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ଗତ ତିନି ଦଶନ୍ଧି ମଧ୍ୟରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନେକ ଯୁବ ପ୍ରତିଭାଙ୍କୁ ସେବା ମନୋବୃତ୍ତି ରଖି ସାଧାରଣ ଜୀବନରେ ପ୍ରତିଷ୍ଠିତ ହେବା ପାଇଁ ସୁଯୋଗ ଦେଇଛନ୍ତି । ସେହି କ୍ରମରେ ଅରବିନ୍ଦଙ୍କୁ ପାଟକୁରାରୁ ବିଧାନସଭାର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥିଲେ । ଏହି ସୁଯୋଗର ସଦ୍ବ୍ୟବହାର କରି ଲୋକଙ୍କ ସେବା କରିବା ପରିବର୍ତ୍ତେ ଏଭଳି ବିଶୃଙ୍ଖଳିତ ଆଚରଣ ଦୁର୍ଭାଗ୍ୟଜନକ । ଶୃଙ୍ଖଳିତ ଆଚରଣ ପାଇଁ ସାରା ଦେଶରେ ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ୱ ବେଶ୍ ପରିଚିତ । ବିଜୁ ଜନତା ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।











