୩ ଜଣ ଆହତ, ୨ଟି ମାମଲା ରୁଜୁ; ପଞ୍ଚମୁଖୀ ହାତ ପଞ୍ଜା ଜବତ
ଓଡ଼ଗାଁ,୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ବାଇକ୍ ସାଇଡମରାକୁ କେନ୍ଦ୍ର କରି ଦୁଇ ଚାଳକ ଓ ସେମାନଙ୍କ ସହଯାତ୍ରୀଙ୍କ ମଧ୍ୟରେ ଘଟିଥିବା ମାରପିଟ୍ ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଓଡ଼ଗାଁ କଲେଜ ଫାଟକ ସାମ୍ନାରେ ୨୧ ନମ୍ବର ରାଜ୍ୟ ରାଜପଥରେ ଦୁଇଟି ବାଇକ୍ ମଧ୍ୟରେ ସାଇଡମାରାକୁ ନେଇ ପ୍ରଥମେ ଉଚ୍ଚବାଚ୍ଚ ହୋଇଥିଲା। ପରେ ଉଭୟେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସରକାରୀ ପଲିଟେକନିକ୍ ସାମ୍ନାରେ ପୁନର୍ବାର ଦୁଇ ପକ୍ଷ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଥିଲା । ଏବଂ ବାଉଁଶ ମୂଳି ଦ୍ୱାରା ମାରପିଟ୍ ହେବାରୁ ଉଭୟ ପକ୍ଷର କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିଲେ। ଆହତମାନେ ହେଲେ ରାବରା ଗ୍ରାମର ପିଙ୍କୁ ପ୍ରଧାନ, ସଙ୍ଗମ ମିଶ୍ର ଏବଂ ରଙ୍ଗଣୀପାଟଣା ଗ୍ରାମର ରାଜା ଦଳବେହେରା। ମୁଣ୍ଡରେ ଚୋଟ ଲାଗିଥିବାରୁ ସେମାନେ ଓଡ଼ଗାଁ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଡାକ୍ତରଙ୍କ ପରାମର୍ଶରେ ତିନି ଜଣଙ୍କ ବ୍ରେନ୍ ସ୍କାନ ପାଇଁ ନୟାଗଡ଼କୁ ପଠାଯାଇଛି। ଘଟଣା ସମ୍ପର୍କରେ ଉଭୟ ପକ୍ଷ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ପରେ ପୋଲିସ ୨ଟି ପୃଥକ ମାମଲା ରୁଜୁ କରି ଘଟଣାସ୍ଥଳରୁ ଗୋଟିଏ ପଞ୍ଚମୁଖୀ ହାତ ପଞ୍ଜା ଜବତ କରିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।








