ହେଡଲାଇନସ୍:

ଗବେଷଣା ପାଇଁ ଅଧ୍ୟାପକଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୧୭ ଜାନୁଆରୀ, ୨୦୨୬: ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ତରଫରୁ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକଙ୍କୁ ଗବେଷଣା କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଓ ଇନୋଭେସନ ଫେଲୋସିପ୍ ମାଧ୍ୟମରେ ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି।

ଶିକ୍ଷାବର୍ଷ ୨୦୨୫-୨୬ରେ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଓ ଇନୋଭେସନ ଫେଲୋସିପ୍ ମାଧ୍ୟମରେ ଆର୍ଥିକ ସହାୟତା ରାଶି ପ୍ରଦାନ ନିମନ୍ତେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟର ୬୦ଜଣ ଅଧ୍ୟାପକଙ୍କୁ ଚୟନ କରାଯାଇଛି। ଚୟନିତ ହୋଇଥିବା ଅଧ୍ୟାପକମାନଙ୍କୁ ତାଙ୍କ ପ୍ରସ୍ତାବିତ ଗବେଷଣା ପ୍ରକଳ୍ପ ପାଇଁ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।

ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ୧୦ଜଣ ଅଧ୍ୟାପକଙ୍କୁ ତାଙ୍କ ଗବେଷଣା ପ୍ରକଳ୍ପ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ଅଧ୍ୟାପକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ନିଜର ଅଭିଭାଷଣରେ ସେ କହିଛନ୍ତି ଯେ, "ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷା ନୀତି-୨୦୨୦ ପ୍ରଣୟନ ହେବା ପରେ ପ୍ରୟୋଗାତ୍ମକ ଶିକ୍ଷା ପଦ୍ଧତି ଏବଂ ଉଚ୍ଚକୋଟୀର ଗବେଷଣା ଉପରେ ପ୍ରାଧାନ୍ୟ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଓ ଇନୋଭେସନ ଫେଲୋସିପ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶି ନିଶ୍ଚିତ ଭାବେ ଅଧ୍ୟାପକମାନଙ୍କୁ ଉଚ୍ଚକୋଟୀର ଗବେଷଣାରେ ମନୋନିବେଶ କରିବା ପାଇଁ ପ୍ରୋତ୍ସାହିତ କରିବ। ଉଚ୍ଚ କୋଟୀର ଗବେଷଣା ଦ୍ୱାରା ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପଦ୍ଧତିକୁ ମଧ୍ୟ ସୁନିଶ୍ଚିତ କରାଯାଇପାରିବ।"

ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଅତନୁ କୁମାର ପତି, ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର କୁଳପତି ଡ଼. ଚଣ୍ଡୀ ଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault