ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ (ବ୍ରହ୍ମପୁର) ସହଯୋଗରେ ଭଞ୍ଜନଗର ତାଲୁକ ଆଇନ ସେବା ସମିତିଙ୍କ ପକ୍ଷରୁ ଜାନୁଆରୀ ମାସ ୧୩ ତାରିଖ ମଙ୍ଗଳବାର ସନ୍ଧ୍ୟା ୪ଟାରେ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମେଳନ କକ୍ଷରେ ନାଲସା ଆଶା (ଏବାର୍ନେସ୍ ସପୋର୍ଟେଡ୍ ହେଲ୍ପ ଆଣ୍ଡ୍ ଆକ୍ସନ) ଯୋଜନା–୨୦୨୫ ଅଧୀନରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି।
ଆଜିର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଭଞ୍ଜନଗରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ନ୍ୟାୟାଧୀଶ ଶେଖ ମହମ୍ମଦ କଏସ। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସେକ୍ରେଟାରୀ ବ୍ୟୋମକେଶ ନାୟକ, ସିନିୟର ସିଭିଲ ଜଜ ଦେବାଶିଷ ବିଶୋଇ, ଉପ-ବିଭାଗୀୟ ନ୍ୟାୟିକ ମ୍ୟାଜିଷ୍ଟ୍ରେଟ ସୌମ୍ୟରଞ୍ଜନ ପୃଷ୍ଟି, ନ୍ୟାୟିକ ମ୍ୟାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ ଭିୟେନା ନାୟକ, ଅତିରିକ୍ତ ଉପ-ଜିଲ୍ଲାପାଳ ପ୍ରଧାନ ଟୁଲିଆମା ପ୍ରମୁଖ ଯୋଗଦେଇ ଆଇନ ସମ୍ପର୍କିତ ମୂଲ୍ୟବାନ ମତାମତ ରଖିଥିଲେ।
କାର୍ଯ୍ୟକ୍ରମରେ ଶିଶୁ ବିବାହ ନିଷେଧ ଆଇନ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇ ଶିଶୁ ବିବାହ ଏକ ଦଣ୍ଡନୀୟ ଅପରାଧ ବୋଲି ସଚେତନ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ ୧୮ ବର୍ଷରୁ କମ୍ ବୟସର ଝିଅ ଓ ୨୧ ବର୍ଷରୁ କମ୍ ବୟସର ପୁଅଙ୍କ ବିବାହ ଆଇନତଃ ଅପରାଧ ଏବଂ ଏହାରେ ସମ୍ପୃକ୍ତ ବ୍ୟକ୍ତିମାନେ କାରାଦଣ୍ଡ ଓ ଅର୍ଥଦଣ୍ଡର ଶିକାର ହୋଇପାରନ୍ତି। ଶିଶୁ ବିବାହ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉପରେ ଗୁରୁତର କୁପ୍ରଭାବ ପକାଏ ବୋଲି ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହା ସହ ଆଇନ ସହାୟତା ସମିତି ସଦସ୍ୟ ଡ଼. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ ମାଗଣା ଆଇନ ସହାୟତା, ମହିଳା ଓ ଶିଶୁ ଅଧିକାର, ଏବଂ ଶିଶୁ ବିବାହ ରୋକଥାମ ପାଇଁ ସମାଜର ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ବକ୍ତାମାନେ କହିଥିଲେ ଯେ ଏହି ପ୍ରକାର ଆଇନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ବିବାହ ଭଳି ସାମାଜିକ କୁପ୍ରଥାକୁ ରୋକିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଆଇନ ସମ୍ପର୍କରେ ଜାଗୃକତା ବୃଦ୍ଧି ପାଇବ। କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିବାରୁ ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ ଓ ଅଂଶଗ୍ରହୀମାନଙ୍କୁ ତାଲୁକ ଆଇନ ସେବା ସମିତି, ଭଞ୍ଜନଗର ପକ୍ଷରୁ ଧନ୍ୟବାଦ ଜଣାଯାଇଛି।
ରାଜ୍ୟ
ନାଲସା ଆଶା ଯୋଜନା ଅଧୀନରେ , ଭଞ୍ଜନଗର ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 13












