ହେଡଲାଇନସ୍:

ମେଗା ‘ଶିଶିର ସରସ-୨୦୨୬’ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍ପ୍ରାପ୍ତ ଓଡ଼ିଶା ଉତ୍ପାଦକୁ ଜାତୀୟ ସ୍ତରରେ ନୂଆ ପରିଚୟ: ମନ୍ତ୍ରୀ

  • ଫୁଡ୍ ଜୋନ୍ ଓ ସେଲ୍ଫି ପଏଣ୍ଟ ଉଦ୍ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ


ଭୁବନେଶ୍ୱର, ୧୦.୦୧.୨୦୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟୀ (ଓର୍ମାସ୍) ପକ୍ଷରୁ ସ୍ଥାନୀୟ ୟୁନିଟ୍ ୩ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ବାର୍ଷିକ ମେଗା ‘ଶିଶିର ସରସ-୨୦୨୬’ ମେଳା । ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଭବ୍ୟ ଉଦ୍ଘାଟନ କରିଛନ୍ତି । ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ସ୍ୱୟଂସହାୟକ ଗୋଷ୍ଠି ଓ ଉତ୍ପାଦକମାନେ ନିଜ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ‘ଶିଶିର ସରସ’ କେବଳ ଏକ ମେଳା ନୁହେଁ, ବରଂ ଓଡ଼ିଶାର ଗ୍ରାମୀଣ ଆତ୍ମଶକ୍ତି, ସ୍ୱଦେଶୀ ପରିଚୟ ଓ ସାଂସ୍କୃତିକ ଐତିହ୍ୟର ଏକ ସଜୀବ ଉତ୍ସବ । ‘ଭୋକାଲ୍ ଫର୍ ଲୋକାଲ୍’ ଆହ୍ୱାନକୁ ସାକାର କରୁଥିବା ଏହି ମେଳା ମାଧ୍ୟମରେ ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍ପ୍ରାପ୍ତ ସମ୍ବଲପୁରୀ ଓ ସୁବର୍ଣ୍ଣପୁର ହସ୍ତତନ୍ତ, କୋରାପୁଟର କଳାଜିରା ଚାଉଳ ଓ ସୁନ୍ଦରଗଡ଼ର ମିଲେଟ ପରି ଉତ୍ପାଦ ଜାତୀୟ ସ୍ତରରେ ପରିଚୟ ପାଉଛି ।
ଏହି ସମାରୋହରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ରହି ମେଳାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ିକରଣରେ ଏହାର ଭୂମିକାକୁ ପ୍ରଶଂସା କରିଥିଲେ । ଏଥି ସହିତ ଓର୍ମାସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓର୍ମାସ୍ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଚଳିତ ‘ଶିଶିର ସରସ’ ମେଳାରେ ମୋଟ ୩୪୦ ଟି ବିକ୍ରୟ ଷ୍ଟଲ୍ ଲଗାଯାଇଥିବା ବେଳେ ୩୫ଟି ଖାଦ୍ୟ ଷ୍ଟଲ୍ ରହିଛି । ବିକ୍ରୟ ଷ୍ଟଲଗୁଡ଼ିକରେ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲାର ହସ୍ତଶିଳ୍ପ ଓ ହସ୍ତକଳା ପ୍ରଦର୍ଶିତ ହେଉଛି । ଏହି ମେଗା ମେଳାରେ ଓଡ଼ିଶାର ୩୦ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି, ଯାହାକି ଏକ ‘ମିନି ଇଣ୍ଡିଆ ବଜାର’ର ଭ୍ରମ ସୃଷ୍ଟି କରୁଛି । ମେଳା ପରିସରରେ ୩୪୦ଟି ବିକ୍ରୟ ଷ୍ଟଲ୍ ସ୍ଥାପିତ ହୋଇଥିବା ବେଳେ, ଫୁଡ୍ ଜୋନ୍ରେ ପରିଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଚଳିତ ବର୍ଷ ଏହି ମେଗା ମେଳା ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ସାଧନର ଲକ୍ଷ୍ୟ ରଖାଯାଇଛି ।
ମେଳା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ବଲିଉଡ୍ର କଣ୍ଠଶିଳ୍ପୀ ଦିବ୍ୟ କୁମାର ଓ ଓଲିଉଡର ବିଭିନ୍ନ କଳାକାରଙ୍କ ପ୍ରସ୍ତୁତି ସହ ସ୍ୱର୍ଗତ ହୁ୍ୟମାନ ସାଗରଙ୍କ ସ୍ମୃତିରେ ‘ହୁ୍ୟମାନ ସାଗର ନାଇଟ୍’ ମେଳାର ଏକ ବିଶେଷ ଆକର୍ଷଣ ସାଜିବ । ଏହା ସହ ମେଳା ପରିସରର ‘ସେଲ୍ଫି ପଏଣ୍ଟ’ ପରିଦର୍ଶକଙ୍କ ମନ ମୋହୁଛି ।
ଚଳିତବର୍ଷ ମେଳା ପରିସରକୁ ପରିଷ୍କାର, ସୁସଜ୍ଜିତ ଓ ପ୍ଲାଷ୍ଟିକ–ମୁକ୍ତ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବେଳେ, ପରିଦର୍ଶକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଥେଷ୍ଟ ଆଲୋକ ବ୍ୟବସ୍ଥା ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଇଛି । ଉଲ୍ଲେଖନୀୟ ଯେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଶିଶିର ସରସ–୨୦୨୬’ ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ।

0
0
0
s2sdefault