କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ଚୋରାରେ ମୂଲ୍ୟବାନ କାଠ କାଟି ମାଫିଆ ମାନେ ମାଲେମାଲ ହେଉଥିବା ବେଳେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ରପୁରରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କ୍ଲଷ୍ଟର ସମିଲକୁ ଚୋରା କାଠ ଆସୁଥିବା ଅଭିଯୋଗ ପୁଣିଥରେ ସତ୍ୟ ସାବ୍ୟସ୍ତ ହୋଇଛି। ଦୀର୍ଘ ଦିନ ଧରି କେନ୍ଦ୍ରାପଡ଼ା, କଟକ ସହ ଆଖପାଖ ଜିଲ୍ଲାରୁ ଚୋରା କାଠ କଟାଯାଇ ବଳଭଦ୍ରପୁର କ୍ଲଷ୍ଟର ସମିଲ ଗୁଡ଼ିକରେ ଚିରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ଓ ପୋଲିସ ପ୍ରଶାସନ ନିରବ ରହିଥିବା କଥା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଆସୁଥିଲା। ତେବେ “ଚୋରଘର ସବୁଦିନ ଆଲୋକମୟ ରହେନାହିଁ” — ଏହି ପ୍ରବାଦକୁ ସତ୍ୟ କରି, ସୂଚନା ମୁତାବକ ଗତ କାଲି ସନ୍ଧ୍ୟାରେ ଓଡି-୨୯-ଜି-୫୩୨୧ ନମ୍ବର ଟ୍ରାକ୍ଟର (ଚେଶିସ୍ ନଂ– ଓଡି-୨୯-କ୍ୟୁ-୪୪୫୦)ରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ବୋଝେଇ କ୍ଲଷ୍ଟର ସମିଲକୁ ନିଆଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଟ୍ରାକ୍ଟରକୁ ଅଟକ ରଖିଥିଲେ। ଘଟଣା ଖବର ପାଇ ଡେରାବିଶ ବ୍ଲକ୍ ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଘଟଣା ସ୍ଥଳରେ ପହଞ୍ଚି ଖବର ସଂଗ୍ରହ କରିବା ବେଳେ ଟ୍ରାକ୍ଟର ଚାଳକ ଜଣକ ଏହି କାଠ ଗୁଡ଼ିକ ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମପଞ୍ଚାୟତ ନିବାସୀ ରଞ୍ଜନ ସାହୁଙ୍କ ଦ୍ୱାରା ସମିଲକୁ ଚିରା ପାଇଁ ପଠାଯାଇଥିବା ଖୋଲାସା କରିଥିଲେ।ଏହି ମଧ୍ୟରେ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଓଡି-୦୪-ଆର-୬୩୪୩ ନମ୍ବର ମଟର ସାଇକେଲରେ ଏକ ବ୍ୟକ୍ତି ହଟାତ୍ ପହଞ୍ଚି ସାମ୍ବାଦିକମାନଙ୍କୁ ନାଲିଆଖି ଦେଖାଇ ଧମକ ଦେବା ସହ ଭାସ୍କର ଚ୍ୟାନେଲର ସାମ୍ବାଦିକ ସର୍ବେଶ୍ୱର ମଲ୍ଲିକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ତାଙ୍କ ବୁମ୍କୁ ପେଲାଠେଲା କରିଥିଲେ। ଏନେଇ ସାମ୍ବାଦିକ ଶ୍ରୀ ମଲ୍ଲିକ ଲଖିତ ଅଭିଯୋଗ ଦାଖଲ କରିଥିବା ବେଳେ, ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରା କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଚୋରା କାଠ ମାଫିଆ ମାନଙ୍କ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଓ ଆକ୍ରମଣ ଘଟଣାକୁ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି ଏବଂ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ରାଜ୍ୟ
ବଳଭଦ୍ରପୁର କ୍ଲଷ୍ଟର ସ ମିଲରୁ ଲକ୍ଷାଧିକ ଟଙ୍କାର ଚୋରା ମୂଲ୍ୟବାନ କାଠ ଜବତ ।
- Hits: 3











