ହେଡଲାଇନସ୍:

ପୁରୀରେ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ: ‘ନୂତନ ଭାରତ ଗଠନରେ କଂଗ୍ରେସର ଭୂମିକା’ ଉପରେ ଆଲୋକପାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀରେ ଭାରତୀୟ ଜାତୀୟ କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ ପାଳିତ। ପୁରୀ ଜିଲ୍ଲା ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭିଆଇପି ରୋଡ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଉତ୍ସାହ ଓ ଗରିମା ସହ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲୋକଙ୍କ ସମସ୍ୟାକୁ ସଠିକ୍ ଭାବେ ସରକାରଙ୍କ ପାଖରେ ପହଞ୍ଚାଇବା କଂଗ୍ରେସର ମୂଳ ଲକ୍ଷ୍ୟ ହେବା ଉଚିତ୍ ବୋଲି କଂଗ୍ରେସ ନେତୃବୃନ୍ଦମାନେ କହିଛନ୍ତି।

ରବିଵାର ସକାଳ ୮ଟାରେ ଭୁଦାନ ଛକ ଠାରେ ଶତାଧିକ କଂଗ୍ରେସ କର୍ମୀଙ୍କ ଦ୍ୱାରା ଆୟୋଜିତ ସଫେଇ ଅଭିଯାନ ସଭାପତିଙ୍କ ନେତୃତ୍ବରେ ସଫଳ ଭାବେ କରାଯାଇଥିଲା । ପରେ ଦିନ ୧୧ଟାରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ‘ଇନ୍ଦିରା ଭବନ’ ଠାରେ ଜିଲ୍ଲା ସଭାପତି ଇଂ. ମିଶ୍ର ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ “ନୂତନ ଭାରତ ଗଠନରେ କଂଗ୍ରେସର ଭୂମିକା” ଶୀର୍ଷକ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ କଂଗ୍ରେସର ୧୪୦ ବର୍ଷର ଐତିହାସିକ ଅବଦାନ, ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ, ଅହିଂସାର ଶକ୍ତି, ଗଣତନ୍ତ୍ରର ମଜବୁତ ଭିତ୍ତି ଓ ଧର୍ମନିରପେକ୍ଷତା–ସମାଜବାଦର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।

ବକ୍ତାମାନେ କହିଥିଲେ ଯେ, ସମ୍ବିଧାନ, ମୌଳିକ ଅଧିକାର, ସାର୍ବଜନୀନ ଭୋଟାଧିକାର, ଆଇଆଇଟି, ଏମ୍ସ, ଆଇଆଇଏମ୍, ଇସ୍ରୋ, ସବୁଜ ଓ ଶ୍ୱେତ ବିପ୍ଳବ, ବ୍ୟାଙ୍କ ଜାତୀୟକରଣ, ଗରିବୀ ହଟାଓ, ପଞ୍ଚାୟତିରାଜରେ ମହିଳା ସଶକ୍ତିକରଣ, ଆର୍ଥିକ ସଂସ୍କାର, ଆରଟିଆଇ ଓ ମନରେଗା ପରି ଐତିହାସିକ ପଦକ୍ଷେପ କଂଗ୍ରେସର ଅବଦାନ।

ଆଲୋଚନାଚକ୍ରରେ ବିଜେପି ସରକାର ଉପରେ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବା, ଧର୍ମୀୟ ଧ୍ରୁବୀକରଣ, ମିଛ ପ୍ରଚାର, ଆର୍ଥିକ ବିଫଳତା, ବିଦେଶ ନୀତିର ଅସଫଳତା ଓ ଓଡ଼ିଶାରେ ‘ଡବଲ ଇଂଜିନ’ ସରକାରର ଜନବିରୋଧୀ ନୀତିକୁ ନେଇ କଟୁ ସମାଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସୁପ୍ରିମକୋର୍ଟର ବରିଷ୍ଠ ଅଧିବକ୍ତା ବିରଜା ପ୍ରସାଦ ମହାପାତ୍ର, ପୂର୍ବତନ ଭାରତ ସରକାର ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର, ପିସିସି ପ୍ରଭାରୀ ସଂପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ, ସୁଜିତ୍ ମହାପାତ୍ର, ଅମରେନ୍ଦ୍ର ପାଇକରାୟ, ଶରତ ରଥ, ବିଶ୍ଵନାଥ ଦାସ, ବିଦୁଲତା ଆଚାର୍ଯ୍ୟ, ବିଶ୍ବରଂଜନ ସାମନ୍ତରାୟ, ଜୟନାରାୟଣ ପଟ୍ଟନାୟକ, ପୁଷ୍କର ମହାପାତ୍ରଙ୍କ ସହ ବହୁ ବରିଷ୍ଠ, ଯୁବ ଓ ମହିଳା ନେତୃବୃନ୍ଦ ଉପସ୍ଥିତ ଥିଲେ।

0
0
0
s2sdefault