ବୃକ୍ଷରୋପଣ ଓ ସମାଜ ସେବାକୁ ଗୁରୁତ୍ୱ

ଓଡ଼ଗାଁ,୨୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ତଥା ରାଜ୍ୟରେ ପ୍ରତିଷ୍ଠା ଲାଭକରିଥିବା ଓଡ଼ଗାଁ ବ୍ଳକ ରଘୁନାଥ ବିଦ୍ୟାପୀଠର ୧୯୮୫ ଏବଂ ୮୭ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ହାସ୍ୟ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମାଜସେବୀ ଦିବାକର ନାୟକ ଉପସ୍ଥିତ ସମସ୍ତ ସହପାଠୀ ମାନଙ୍କୁ ସାଧୁବାଦ ଜଣାଇବା ସହିତ ବନ୍ଧୁତାର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଓଡ଼ଗାଁ ଏନ୍ଏସି ଯନ୍ତ୍ରୀ ସତ୍ୟନାରାୟଣ ସାହୁ ଏବଂ ବରିଷ୍ଠ ସାମ୍ବାଦିକ ସାରସ କୁମାର ମିଶ୍ର ଉପସ୍ଥିତ ରହିଥିଲେ । ରବିବାର ମଧ୍ୟାହ୍ନରେ ରାମ ସାଗର ପାର୍କର ପ୍ରାକୃତିକ ପରିବେଶ ମଧ୍ୟରେ ୧୯୮୭ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡ଼ଗାଁ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଛାତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ସ୍ମୃତି ଚାରଣ କରିଥିଲେ । ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ୪ର୍ଥ ବର୍ଷରେ ଓଡ଼ଗାଁ ରାମ ସାଗର କୂଳରେ ବେଲ, ଅଁଳା, ଚମ୍ପା ଏବଂ ବଉଳ ଏପରି ୪ ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ଏଥି ସହିତ ଚଳିତ ବର୍ଷ ରଘୁନାଥ ବିଦ୍ୟାପୀଠ ବାର୍ଷିକ କ୍ରିଡ଼ା ଉତ୍ସବ ଅବସରରେ ଅର୍ଥନୈତିକ ଅନଗ୍ରସର ୨ ମେଧାବୀ ଛାତ୍ରୀଙ୍କୁ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏବଂ ଆଗାମୀ ଦିନରେ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଜି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ଏହି ବିଦ୍ୟାଳୟର ୧୯୮୫ ମସିହା ବ୍ୟାଚର ୩୦ ରୁ ଉର୍ଦ୍ଧ୍ବ ଛାତ୍ର ମାନେ ରବିବାର ସଂଧ୍ୟାରେ ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ମିଳିତ ହୋଇ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳନ କରିଥିଲେ । କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ପାତ୍ର, କୁମାର ଦେବଦତ୍ତ, ସୁକାନ୍ତ କୁମାର ବାରିକ ଓ ସାରସ କୁମାର ମିଶ୍ରଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । ରଘୁନାଥ ବିଦ୍ୟାପୀଠ ତଥା ବର୍ତ୍ତମାନର ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସହପାଟୀ ଏକାଠୀ ହୋଇ ପୁରୁଣା ଦିନର ସୃତିକୁ ରୋମନ୍ଥନ କରିଥିଲେ । ଏବଂ ତତ୍କାଳୀନ ଛାତ୍ରବତ୍ସଳ ଶିକ୍ଷକ ମାନଙ୍କ ସହିତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାନ୍ତିଙ୍କ ବଳିଷ୍ଠ ଶିକ୍ଷାଦାନ ପାଇଁ ବ୍ୟାଚର ସମସ୍ତ ଛାତ୍ର ଶୃଙ୍ଖଳିତ ଭାବେ ସମାଜରେ ଠିଆହୋଇ ପାରିଥିବାରୁ ଶିକ୍ଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।











