-
ପ୍ରତି ସନ୍ଧ୍ୟାରେ ମଞ୍ଚସ୍ଥ ହେବ ମୌଳିକ ଓଡ଼ିଆ ନାଟକ
-
ଚୌଧୁରୀ ଜୟପ୍ରକାଶ ପାଇବେ ସମ୍ମାନ ଜନକ ‘କୃପାସିନ୍ଧୁ ମହାନ୍ତି ନାଟ୍ୟ ସମ୍ମାନ’
-
୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ପ୍ରଥାମ ସମ୍ମାନ-୨୦୨୬’
-
ଜାନୁଆରି ୪ରେ ନାଟ୍ୟ ଆଲୋଚନା ଓ ପ୍ରଶିକ୍ଷଣ ଶିବିର
-
ପ୍ରତ୍ୟକ ସନ୍ଧ୍ୟାକୁ ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ବଙ୍କ ନାମରେ ଉତ୍ସର୍ଗ
-
ଉଦ୍ଘାଟନ କରିବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ
ଜଗତସିଂହପୁର,ତା-୨୬.୧୨.୨୦୨୫/ସୁମନ୍ତକୁମାରଦାସ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ନିମନ୍ତେ ଗଠିତ ‘ପ୍ରଥମା ଫାଉଣ୍ଡେସନ୍' ଆସନ୍ତା ଜାନୁଆରୀ ମାସ ୦୨, ୦୩ ଓ ୦୪ ତିନି ଦିନ ଧରି ଦ୍ବିତୀୟ ରାଜ୍ୟସ୍ତରୀୟ ‘'ଶାରଳା ନାଟକ ଉତ୍ସବ-୨୦୨୬" ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ପ୍ରତ୍ୟହ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବ। ଆଜି ଜଗତସିଂହପୁର ଆର ଆଣ୍ଡ ଆଇବି ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କୁହାଯାଇଛି ଯେ, ନାଟକ ଉତ୍ସବରେ ରାଜ୍ୟର ପ୍ରମୁଖ ତିନୋଟି ନାଟ୍ୟାନୁଷ୍ଠାନ ଯୋଗଦେବେ। ପ୍ରଥମ ଉଦ୍ଘାଟନୀ ସନ୍ଧ୍ୟାରେ ଭୁବନେଶ୍ବର ବିଦ୍ୟାକନକ ସୃଜନାନୁଷ୍ଠାନ ଗୋଦାବରିଶ ମହାପାତ୍ରଙ୍କ କାଳଜୟୀ କାହାଣୀ ‘ମାଗୁଣିର ଶଗଡ଼’ ପରିବେଶଷଣ କରିବେ। ଏହାକୁ ନବୀନ କୁମାର ପରିଡ଼ା ନାଟ୍ୟରୂପ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀଶ ପ୍ରସାଦ ମହାରଣା। ଦ୍ବିତୀୟ ଦିନ ଭୁବନେଶ୍ବରର ‘ଜୀବନରେଖା ଥିଏଟର’ ପରିବେଷଣ କରିବେ ନାଟକ ‘କମଳା’। ବିଜୟ ତେନ୍ଦୁଲକରଙ୍କ ମୂଳ ରଚନାକୁ ଓଡ଼ିଆ ଅନୁବାଦ କରିଛନ୍ତି ଚିନ୍ମୟୀ ଷଡ଼ଙ୍ଗୀ ଓ ଅଭିନ୍ନ ରାଉତରାୟ ନାଟକର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଉଦ୍ଯାପନୀ ସନ୍ଧ୍ୟାରେ ମନୋଜ ମିତ୍ରଙ୍କ ରଚିତ ନାଟକ "ସଂପର୍କ" ମଞ୍ଚସ୍ଥ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଦର୍ପ ନାରାୟଣ ସେଠୀ। ଭୁବନେଶ୍ବର ରଙ୍ଗମ୍ ନାଟ୍ୟସଂସ୍ଥା କଳାକାରମାନେ ଏହି ନାଟକ ପରିବେଷଣ କରିବେ।
ଚଳିତ ବର୍ଷ ମଧ୍ୟ ପ୍ରତ୍ୟକ ସନ୍ଧ୍ୟାକୁ ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ବଙ୍କ ନାମରେ ଉତ୍ସର୍ଗ କରାଯାଇଛି। ପ୍ରଥମ ସନ୍ଧ୍ୟାକୁ ପ୍ରଖ୍ୟାତ ନାଟ୍ୟକାର ଓ ନିର୍ଦ୍ଦେଶକ ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି, ଦ୍ବିତୀୟ ସନ୍ଧ୍ୟାକୁ ପ୍ରଖ୍ୟାତ କାଳଜୟୀ ନାଟ୍ୟକାର ଓ ନିର୍ଦ୍ଦେଶକ ସୁଧାକର ଦ୍ବିବେଦୀ ଏବଂ ତୃତୀୟ ସନ୍ଧ୍ୟାକୁ ପ୍ରଖ୍ୟାତ ଅଭିନେତା ଓ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ଅବସରରେ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ସମ୍ମାନ ଜନକ ‘କୃପାସିନ୍ଧୁ ମହାନ୍ତି ନାଟ୍ୟ ସମ୍ମାନ’ ପ୍ରଦାନ କରାଯିବ। ଏଥିସହ ଓଡ଼ିଶାର ମଞ୍ଚ ନାଟକର ଦୀର୍ଘ ଯାତ୍ରାରେ ସହଯାତ୍ରୀ ୯ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ‘ପ୍ରଥାମ ସମ୍ମାନ-୨୦୨୫’ ପ୍ରଦାନ କରାଯିବ। ସେମାନେ ହେଲେ ନାଟ୍ୟ ନିର୍ଦ୍ଦେଶକ ସାରଦା ପ୍ରସାଦ ରଣା, ମଞ୍ଚ ଅଭିନେତା ନିରଜ୍ଞନ ବେହେରା, ମଞ୍ଚ ଅଭିନେତା ସୁଶାନ୍ତ କୁମାର ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ଚୌଧୁରୀ, ସରୋଜ ସାହୁ, ଶଶାଙ୍କ ଶେଖର ପଣ୍ଡା, ଶୁଭଙ୍କର ଜେନା, ଦୁର୍ଯ୍ୟୋଧନ ମହାରଣା ଓ ତାପସ ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
କେବଳ ନାଟକ ପରିବେଷଣ ନୁହେଁ, ନାଟକ ସମ୍ପର୍କିତ ଆଲୋଚନା ମଧ୍ୟ ଏହି ଉତ୍ସବରେ ସାମିଲ କରାଯାଇଛି। ସିଦ୍ଧି ଚାରିଟେବୁଲ୍ ଟ୍ରଷ୍ଟ ସହଯୋଗରେ ଜାନୁଆରି ୪ ତାରିଖ ଦିନ ୧୧ଟାରେ ‘ଯୁବ ବର୍ଗ ଓ ନାଟକ’ ବିଷୟବସ୍ତୁ ଉପରେ ନାଟ୍ୟ ଆଲୋଚନା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଅତିଥି ଆଲୋଚକ ଭାବେ ନାଟ୍ୟ ନିର୍ଦ୍ଦେଶକ ଅଭିନ୍ନ ରାଉତରାୟ, ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀମନ୍ ନାରାୟର ମିଶ୍ର ଓ ନାଟ୍ୟ ନିର୍ଦ୍ଦେଶକ ଦର୍ପ ନାରାୟଣ ସେଠୀ ଯୋଗଦେବେ।
ଜାନୁଆରି ୨ ତାରିଖ ଶୁକ୍ରବାର ସନ୍ଧ୍ୟା ୬ଟା ୦୫ ମିନିଟ୍ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବିଧାୟକ ଅମରେନ୍ଦ୍ର ଦାସ ତଥା ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବମାନେ ଉପସ୍ଥିତ ରହି ଦ୍ବିତୀୟ ରାଜ୍ୟସ୍ତରୀୟ ‘ଶାରଳା ନାଟକ ଉତ୍ସବ’କୁ ଉଦ୍ଘାଟନ କରିବେ। ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ପରି ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ସପରିବାରେ ଯୋଗଦେଇ ପରିବାର ସହ ଭଲ ନାଟକ ଦେଖିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ନାଟ୍ୟକାର କୈଳାସ ମଲ୍ଲିକ, ଶିକ୍ଷାବିତ୍ ସୁଭାଷ ଚନ୍ଦ୍ର ରାଉତ, ଅନୁଷ୍ଠାନର ସାଂଗଠାନିକ ସଂପାଦକ ସତ୍ୟବ୍ରତ ବିଶ୍ଵାଳ, କଳା ସଂପାଦକ ଅଜୟ ଗୋଚ୍ଛାୟତ, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ସ୍ୱାଇଁ, ସହ ସମ୍ପାଦକ ବିଧାନ ନାୟକ, ସହ କୋଷାଧ୍ୟକ୍ଷ ସୁଦୀପ୍ତ ପରିଡା, ପତ୍ରିକା ସମ୍ପାଦକ ତୁଷାର ମହାନ୍ତି, ସଦସ୍ୟ ଆଇନଜୀବୀ ନରେଶ ଦାସ, ବିଜୟ କୁମାର ରାଉତ, ସଞ୍ଜୀବ ବରାଳ, ସରୋଜ ଦ୍ୱିବେଦୀ ଓ ଉତ୍ସବର ସଂପାଦକ ସୋମନାଥ ପରିଡ଼ା ପ୍ରମୁଖ ଉପସ୍ଥିତ ସୂଚନା ପ୍ରଦାନ କରିଥିଲେ।











