ଖଣ୍ଡପଡ଼ା ବିଧାୟକଙ୍କ ବକ୍ତବ୍ୟ ସମୟରେ ହୋ ହାଲ୍ଲା
ନୟାଗଡ଼(ବିଶ୍ଵଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ ତଥା ପଲ୍ଲିଶ୍ରୀ, କୃଷି ଓ ପୁସ୍ତକ ମେଳା ତୃତୀୟ ସନ୍ଧ୍ୟା ବେଶ ଆକର୍ଷଣୀୟ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ବିରୋଧର ସମ୍ମୁଖୀନ ହୋଇଛନ୍ତି। ମେଡ଼ିକାଲ କଲେଜ ନିର୍ମାଣ ଦାବିରେ ଯୁବକମାନେ ହୋ ହାଲ୍ଲା କରିଛନ୍ତି। ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ରଣପୁର ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଗଣିଆ ବ୍ଲକ ଅଧ୍ୟକ୍ଷ ଝୁନା ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସ୍ବାଗତ ଅଭିଭାଷଣ ରଖିବା ସହ ନୟାଗଡ଼ର ଧାର୍ମିକ ଓ ପର୍ଯ୍ୟଟନ ପୀଠ ଗୁଡ଼ିକ ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର ନୟାଗଡ଼ ଜିଲ୍ଲା ଗଠନଠାରୁ ମହୋତ୍ସବ ଅଭିବୃଦ୍ଧି ନେଇ ବକ୍ତବ୍ୟ ରଖିଥିଲେ। ନୟାଗଡ଼ ଜିଲ୍ଲାର କଳା, ସଂସ୍କୃତି, ଜୀବନ, ଜୀବିକାକୁ, ଐତିହ୍ୟକୁ ଏକାଠି କରି ପାରୁଛି ଜିଲ୍ଲା ମହୋତ୍ସବ ବୋଲି ଦଶପଲ୍ଲା ଏନଏସି ଅଧ୍ୟକ୍ଷା କହିଥିଲେ। ଏହା ସହିତ ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି ରଖିଥିଲେ। ଗଣିଆ ବ୍ଲକ ଅଧ୍ୟକ୍ଷା ମଧ୍ୟ ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି କରିଥିଲେ। ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତାଙ୍କ ବକ୍ତବ୍ୟ ପ୍ରଦାନ ସମୟରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି କରି ଅନେକ ଯୁବକ ହୋ ହାଲ୍ଲା କରିଥିଲେ। ମୁଖ୍ୟ ଅତିଥି ନୟାଗଡ଼ ବିକାଶ ଉପରେ ବକ୍ତବ୍ୟ ରଖିଥିଲେ। ତାହାକୁ ଏଡ଼ାଇ ଯୁବକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା କହିଥିଲେ। ତୃତୀୟ ସନ୍ଧ୍ୟାରେ କବି ପ୍ରଭାସିନୀ ବରାଡଙ୍କ ଲିଖିତ ପୁସ୍ତକ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ କରିଥିଲେ। ଆଜିର ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ନୟାଗଡ଼ ବନ୍ଦନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଭୁବନେଶ୍ୱର ଆଦିଦ୍ୟ ଡାନ୍ସ ଗ୍ରୁପ, ପୁରୀ ମାଲଖମ୍ବ ଦର୍ଶକଙ୍କୁ ବିମୋହିତ ହୋଇଥିଲା। ଏହା ସହିତ ସିନେ ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ ଶୀତୁଆ ସନ୍ଧ୍ୟାର ମାହୋଲକୁ ସରଗରମ କରିଥିଲେ।











